ବଣ୍ଡାଘାଟିରେ ନର୍ସରୀ ନାଁରେ ମହାଘୋଟାଲା: ପାହାଡି ଗାଁରେ ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନକରି ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

78

କନକ ବ୍ୟୁରୋ: ମାଲକାନଗିରି ବଣ୍ଡା ପାହାଡରେ ନର୍ସରୀ ନାଁରେ ମହାଘୋଟାଲା । ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରିଦେଲେ ଅଧିକାରୀ । ବଣ୍ଡାଘାଟିରେ ବିଡିଏ ନାମକ ସଂସ୍ଥା ଦ୍ୱାରା ବିକାଶ ଓ ଓପିଲିପି ସଂସ୍ଥା କାର୍ଯ୍ୟ କରୁଛି । ଘାଟି ଅଂଚଳରେ ବିକାଶ ଓ ଉନ୍ନୟନ ନାମରେ ବାବୁଙ୍କ ପକେଟ ଗରମ ହେଉଛି ।

ଘାଟି ମଣିଷଙ୍କ ସରଳତାର ସୁଯୋଗ ନେଇ ପାହାଡି ଗାଁରେ ନର୍ସରୀ ଦେଖାଇ ଖାଇଗଲେ ଲକ୍ଷାଧିକ ଟଙ୍କା ।  ବାଡ ହୋଇଛି, ଗ୍ରିନ୍ ସେଡ୍ ବି ଅଛି । ହେଲେ ନର୍ସରୀ ପାଇଁ ଯାହା ନିହାତି ଆବଶ୍ୟକ, ତାହା ନାହିଁ । ବିନା ଚାରାରେ ନର୍ସରୀ ହୋଇଛି । ଆଉ କାଗଜ କଲମରେ ଏହି ନର୍ସରୀକୁ ଦର୍ସାଇ ସରକାରୀ ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଘାଟି ଅଂଚଳରେ ଏହି ଗୋଟିଏ ନର୍ସରୀ ନୁହେଁ ମୁଦୁଲିପଡା ଓ ଅଣ୍ଡ୍ରାହଲ ପଂଚାୟତର ୩୮ଟି ଗାଁରେ ନର୍ସରୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବଣ୍ଡା ଉନ୍ନୟନ ସଂସ୍ଥା ।

କୃଷି ଓ ଉଦ୍ୟାନ ଯୋଜନାରେ ୨୦୨୨–୨୩ ଆର୍ଥିକ ବର୍ଷରେ ନର୍ସରୀ , ଚାରା ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୯ ଲକ୍ଷ ୩୧ ହଜାର ୨୧୦ ଟଙ୍କା ବ୍ୟୟ ଅଟକଳ ହୋଇଛି । ପାହାଡ଼ି ଗାଁରେ ୧୫ ଲକ୍ଷ ୩୫ ହଜାର ୯୮୦ ଟଙ୍କା ଖର୍ଚ୍ଚ କରିଛି ବଣ୍ଡା ଉନ୍ନୟନ ସଂସ୍ଥା ଅଧିନରେ କାମ କରୁଥିବା ବିକାଶ ଓ ଓପିଲିପି ଭଳି ସଂସ୍ଥା । ହେଲେ ପ୍ରକୃତରେ କୌଣସି ନର୍ସରୀ କି ସୌନ୍ଦର୍ଯ୍ୟକରଣ କରାଯାଇନଥିବା ଘାଟି ମଣିଷ ଅଭିଯୋଗ କରିଛନ୍ତି । ସେପଟେ ଏନେଇ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି ଉନ୍ନୟନ ସଂସ୍ଥାର ଅଧିକାରୀ ।