ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କୁ ମିଳୁନି ଜମି ପଟ୍ଟା: ପାଠ ପଢି ବି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି ଶିକ୍ଷିତ ଯୁବକ ଯୁବତୀ

168

କନକ ବ୍ୟୁରୋ: ପଟ୍ଟା ପାଇଁ ବାହାଘରରେ ଉପୁଜୁଛି ସାମସ୍ୟା । କେବଳ ବିବାହ ନୁହେଁ, ଗାଁରୁ ଶତାଧିକ ଯୁବକ ପାଠ ପଢି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି । ତେଣୁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ବାସ୍ତବରେ ଆପଣ ଗ୍ରାଉଣ୍ଡଜିରୋକୁ ନଗଲେ ସହଜରେ ଏକଥାକୁ ବିଶ୍ୱାସ କରିପାରିବେନି । ଆସନ୍ତୁ ଯିବା ସେମିତି ଏକ ଗାଁକୁ । ଯେଉଁଠି ସବୁ ସରାରୀ ସବୁଧାରୁ ବଂଚିତ ଗ୍ରାମବାସୀ ।

କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଭେକ୍ଟା ଗାଁ । ଗାଁର ସମସ୍ତ ପରିବାର ସବୁ ସରକାରୀ ସୁବିଧାରୁ ବଂଚିତ । ଝାଟି ମାଟି କୁଡିଆରେ ବସିଥିବା ଭେକ୍ଟା ମଂଜୁଙ୍କ ମନରେ ରହିଛି ଅସରନ୍ତି ଦୁଃଖ । କହିଛନ୍ତି ନିଜର ଜମି ପଟ୍ଟା ନଥିବାରୁ ଆବାସ ଘର ମିଳୁନାହିଁ । ଘରଟିଏ ନଥିବାରୁ ପୁଅ ଝିଅ ବାହାଘରରେ ମଧ୍ୟ ଅସୁବିଧା ହେଉଛି ।

ସରକାରୀ ଚାକିରି ହେଉ ବା ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାକୁ ହେଲେ ଆବାସିକ ପ୍ରମାଣପତ୍ର୍ରର ଆବଶ୍ୟକତା ରହିଛି । ହେଲେ ଭେକ୍ଟା ବାସିନ୍ଦାଙ୍କ ପାଖରେ ଜମି ପଟା ନଥିବାରୁ ରେସିଡେଂଟ ସାର୍ଟିଫିକେଟ୍ ମିଳୁନାହିଁ । ତେଣୁ ମନୋରଂଜନ ପରି ଅନ୍ୟ ଶିକ୍ଷିତ ଯୁବକମାନେ ସରକାରୀ ଚାକିରି ପାଇଁ ଆବେଦନ କରିନପାରି ଦାଦନ ଖଟିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।

୪୦୦ ପରିବାର ରହୁଥିବା ଭେକ୍ଟା ଗାଁରେ କାହାରିକୁ ଜମି ପଟ୍ଟା ମିଳୁନାହିଁ । ଆଗାମୀ ଦିନରେ ସରକାର କିଛି ପଦକ୍ଷପ ନନିଅନ୍ତି ତେବେ ଲୋକେ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ସୁଧା ସର୍ଭେ କରାଯାଇ ପଦକ୍ଷେପ ନିଆଯିବ । ସରକାରଙ୍କ ଉଦାସିନତାରୁ ବଳି ପଡୁଛନ୍ତି ନୀରିହ ଜନତା । କେବେ ସର୍ଭେ ହେବେ, କେବେ ଲୋକଙ୍କୁ ଜମି ପଟ୍ଟା ମିଳିବ ତାକୁ ହିଁ ଅପେକ୍ଷା କରାଯାଇଛି ।