ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ । ଏଠି ପ୍ରକୃତି ଅଛି , ହେଲେ ସୁବିଧା ନାହିଁ । ଅସନ୍ତୋଷ ପ୍ରକାଶ କଲେ ପର୍ଯ୍ୟଟକ

180

କନକ ବ୍ୟୁରୋ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ । ଥଣ୍ଡା ବଢିଥିବା ବେଳେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଶାନ୍ତ ପରିବେଶରେ ବଣଭୋଜି କରିବା ପାଇଁ ଦାରିଙ୍ଗବାଡିରେ ଗହଳ ଚହଳ ଲାଗିଛି । ଓଡିଶା ତଥା ପଡୋଶୀ ରାଜ୍ୟର ଲୋକେ ଦାରିଙ୍ଗବାଡି ବୁଲିବାକୁ ଆସି ଭୋଜିଭାତ କରୁଛନ୍ତି । ହେଲେ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ନାହିଁ । ଡୁଲୁରି ଝାଉଁବଣରେ ବଣଭୋଜି ପାଇଁ ପିଣ୍ଡିର ବ୍ୟବସ୍ଥା ନାହିଁ । ପାନୀୟ ଜଳ, ଶୌଚାଳୟର ସୁବିଧା ନଥିବାରୁ ଲୋକେ ଦାରିଂବାଡି ଆସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଠାକୁ ବୁଲିଯାଇଥିବା ଲୋକେ ଏଠାକାର ପ୍ରକୃତି ଓ ଝରଣାର ଭରପୁର ମଜ୍ଜା ଉଠାଉଥିବା ବେଳେ ଏଠାରେ ପାଣି ଏବଂ ଶୌଚାଳୟର କୌଣସି ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଏହି ସ୍ଥାନ ଉପରେ ସରକାର ଟିକେ ଦୃଷ୍ଟି ଦେଲେ ଆଗାମୀ ଦିନରେ ଦାରିଙ୍ଗବାଡି ଏକ ଭଲ ପର୍ଯ୍ୟଟନସ୍ଥଳି ହୋଇପାରିବ ।