ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ମଦ। ସିଡିଏମଓ କହିଲେ, ମୃତକଙ୍କର ଥିଲା ଗମ୍ଭୀର କିଡନୀ ସମସ୍ୟା।

81

କନକ ବ୍ୟୁରୋ: ହଳଦୀକୁଣ୍ଡ ଗାଁର ମୃତ ଆଇତା ମଡକାମୀଙ୍କ ପରିବାର ଲୋକ ଦୁଃଖରେ । କନକ ନ୍ୟୁଜ କ୍ୟାମେରାରେ ତାଙ୍କ ସ୍ତ୍ରୀ ବଖାଣିଛନ୍ତି ଆଇତାଙ୍କ ମୃତ୍ୟୁ ଘଟିବାର ସତ । କିଛି ଦିନ ତଳେ ସେ ବିଷାକ୍ତ ମାଂସ ଖାଇ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଝଡାଫୁଙ୍କା କରିଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

କେବଳ ଆଇତା ନୁହନ୍ତି ହଳଦୀକୁଣ୍ଡ ଗାଁରେ ଏବେ ଏହି ଅଜଣା ରୋଗରେ ୧୨ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଏହାପରେ ସିଡିଏମଓଙ୍କ ନେତୃତ୍ୱରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ହଳଦୀକୁଣ୍ଡ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଏ ବାବଦରେ ଲୋକଙ୍କୁ ସଚେତନ କରାଯାଇଛି । କିଛି ଦିନ ପୂର୍ବରୁ ବିଷାକ୍ତ ମାଂସ ଓ ମଦ ପିଇ ଅନେକ ଲୋକ ଆକ୍ରନ୍ତ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ କିଛି ଲୋକ ପ୍ରାଣ ହରାଇଛନ୍ତି । ଆକ୍ରାନ୍ତ ଲୋକଙ୍କୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଛି । ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ ପହଞ୍ଚିବା ପରେ ଅନୁସନ୍ଧାନରୁ ଜଣାପଡିଥିଲା, ରୋଗ ବ୍ୟାପିବା ପୂର୍ବରୁ ଏମାନେ ବିଷାକ୍ତ ମାଂସ ଖାଇବା ସହ ଅଭ୍ୟାସଗତ ଭାବରେ ମଦ ପିଉଥିଲେ ।

ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ ଲୋକଙ୍କୁ ସଚେତନ କରାଇଥିବାବେଳେ ଗାଁରେ ଏବେ ବି ରହିଛି ଅନ୍ଧବିଶ୍ୱାସର ଚିତ୍ର । ଲୋକେ ଏବେ ବି ଝଡାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି । ଏବେ ବି ଦେଶୀ ମଦ ପିଉଥିବା ଚିତ୍ର ଦେଖିବାକୁ ମିଳିଛି । ଗାଁ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଯେେତେ ସଚେତନ କଲେ ବି ଗାଁରେ କୌଣସି ପରବର୍ତନ ଦେଖିବାକୁ ମିଳିନାହିଁ । ସ୍ୱାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗର ଟିମ ଗାଁକୁ ଯାଇ ରକ୍ତ ନମୁନା , ଖାଦ୍ୟ , ପାନୀୟ ଜଳ ଓ ମଦର ନମୁନା ସଂଗ୍ରହ କରିଛନ୍ତି ।