ରେଶମୀ ବୁଣାକାରଙ୍କ ପାଇଁ ବାଧକ ସାଜିଛି କଞ୍ଚାମାଲ , ଚାହିଦା ମୁତାବକ ମିଳୁନି ପାରିଶ୍ରମିକ

60

କନକ ବ୍ୟୁରୋ : ସମସ୍ୟା ଘେରରେ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଚକଗୋପାଳପୁର ଗାଁର ରେଶମୀ ମଣିଷ । ପୁରୁଷାନୁକ୍ରମେ ଏହି ଗାଁର କାରିଗର ମାନେ ତନ୍ତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଦେଶ ଓ ଦେଶ ବାହାରେ ସୁନାମ ଅର୍ଜନ କରିଥିଲେ । ଆଉ ଏବେ କଂଚାମାଲ ଅଭାବ ସହିତ ଚାହିଦା ଅନୁଯାୟୀ ପାରିଶ୍ରମିକ ମିଳୁନଥିବାରୁ ଏମାନେ ଚିନ୍ତାରେ ପଡ଼ିଛନ୍ତି ।

ଏ ହେଉଛି ରସୁଲପୁର ବ୍ଲକ ଚକଗୋପାଳପୁର ଗାଁ । ତନ୍ତରେ ତିଆରି ବିଭିନ୍ନ କିସମର ସାମଗ୍ରୀ ପାଇଁ ରାଜ୍ୟ, ଦେଶ ଓ ଦେଶ ବାହାରେ ଏହି ଗାଁର ବେଶ୍ ସୁନାମ ରହିଛି । କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ଏହି ଗାଁର ବୁଣାକାର ମାନେ ତନ୍ତ ସାହଯ୍ୟରେ ବିଭିନ୍ନ ପାଟବସ୍ତ୍ର ତିଆରି କରି ପରିବାର ଗୁଜୁରାଣ ମେଂଟାଇ ଆସୁଛନ୍ତି । କାରିଗରଙ୍କ ଦ୍ୱାରା ଉତ୍ପାଦିତ ଶାଢୀ, ଗାମୁଛା, ଲୁଙ୍ଗୀ, ରୁମାଲ, ସୁଟିଂ ସାଟିଂ କପଡା, ବେଡସିଟ୍ର ଯଥେଷ୍ଟ ଚାହିଦା ରହିଛି । କାରିଗର ଘରର ମହିଳା ମାନେ ମଧ୍ୟ ଏହି ତନ୍ତବୁଣା କାର୍ଯ୍ୟରେ ନିଜକୁ ନିୟୋଜିତ କରି ପରିବାରର ଆର୍ଥିକ ସ୍ଥିତି ସୁଧାର ପାଇଁ ଉଦ୍ୟମ କରିଥାନ୍ତି । କରୋନା ପରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଅନେକ ସମୟରେ ଉପଯୁକ୍ତ ପରିମାଣର ଟସର କୋଷା ମିଳୁନଥିବାରୁ କାରିଗରଙ୍କ ବ୍ୟବସାୟ ଆଶାନୁରୂପକ ହେଉନାହିଁ ।

ବୁଣାକାର ମାନେ ଟସର କୋଷା ଆଣିବା ପରେ ତାକୁ ବିଭିନ୍ନ ପଦ୍ଧତିରେ ସୂତାରେ ପରିଣତ କରନ୍ତି । ତନ୍ତ ସାହଯ୍ୟରେ ବସ୍ତ୍ର ତିଆରି କରି କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂପୁର, ନୟାଗଡ ଭଳି ଜିଲ୍ଳାକୁ ଯୋଗାଣ କରନ୍ତି । ଏହା ସହ ରାଜ୍ୟ ସରକାରଙ୍କ ବୟନିକାକୁ ମଧ୍ୟ ଏହି କାରିଗର ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସୋସାଇଟି ମାଧ୍ୟମରେ ଯୋଗାଣ କରନ୍ତି । କିନ୍ତୁ କାରିଗାରଙ୍କୁ ଉଚିତ୍ ମୂଲ୍ୟ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସୋସାଇଟି ମାଧ୍ୟମରେ ମିଳୁଥିବା ସୁବିଧାର ବାଟମାରଣା ହେଉଥିବାରୁ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୁଣାକାର ।

ସମୟ ବଦଳିବା ସହ ଅତ୍ୟାଧୁନିକ ଜ୍ଞାନ କୌସଳ ଉପଯୋଗ କରି ମେସିନ୍ ସାହାଯ୍ୟରେ ବିଭନ୍ନ ପ୍ରକାରର ବସ୍ତ୍ର ତିଆରି କରାଯାଉଛି । ହେଲେ କମିନି ହାତ ତିଆରୀ ସମାଗ୍ରୀର ଚାହିଦା । ଧର୍ମଶାଳା ଅଂଚଳରେ ପାଖାପାଖି ୫ହଜାର ତନ୍ତ କାରିଗର ଏହି କାମ କରୁଛନ୍ତି । ପିଢି ପରେ ପିଢି ଏହି କାମ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି ।