ସେନାରେ ଚାକିରୀ, ପୁଣି ଚାଷୀ ଏବଂ ପରେ କମ ଟଙ୍କାରେ ବିମାନସେବା। ଉଦ୍ୟୋଗପତିଙ୍କ ସଂଘର୍ଷମୟ କାହଣୀ …

607

କନକ ବ୍ୟୁରୋ: ତାମିଲ ଫିଲ୍ମ ସୋରାରାଇ ପୋଟରୁ ଆପଣଙ୍କ ମଧ୍ୟରୁ ସମସ୍ତ ଦେଖିଥିବେ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଫିଲ୍ମର କାହାଣୀ ଜଣେ ଗାଁର ବ୍ୟକ୍ତି ଉପରେ ପର୍ଯ୍ୟବେଷିତ ଥିଲା । ଯିଏ କମ ମୂଲ୍ୟରେ ଲୋକଙ୍କୁ ବିମାନ ସେବା ଯୋଗାଇ ଦେଉଥିଲେ । ଏଥିପାଇଁ ସେ ଅନେକ ରାଜନେତା, ବ୍ୟବସାୟୀଙ୍କ ସହ ମଧ୍ୟ ଲଢେଇ କରିଥିଲେ । ଚଳଚିତ୍ରକୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ମିଳିଥିଲା । ତେବେ ଯେଉଁ ବ୍ୟକ୍ତିଙ୍କ ବାସ୍ତବ ଜୀବନ ଉପରେ ଏହି କାହାଣୀଟି ନିର୍ମାଣ ହୋଇଥିଲା ସେହି ବ୍ୟକ୍ତି ହେଉଛନ୍ତି କ୍ୟାପଟେନ ଜିଆର ଗୋପିନାଥ ।

ଜିଆର ଗୋପିନାଥଙ୍କ ଜୀବନ ବେସ ସଂଘର୍ଷରେ କଟିଛି । ଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତା ତାଙ୍କ ହାତରେ ଲାଗିଛି । ହେଲେ ସେ କେବେହେଲେ ଲଢେଇକରିବା ଛାଡିନଥିଲେ । ନିଜ ସ୍ୱପ୍ନ ପୂରା କରି ସାଧାରଣ ଲୋକଙ୍କ ପାଇଁ ବିମାନ ସେବା ଯୋଗାଇଦେଇଥିଲେ । ୧୯୫୧ ମସିହା ନଭେମ୍ବର ୧୩ରେ ଜିଆର ଗୋପିନାଥଙ୍କ ଜନ୍ମ ହୋଇଥିଲା । କର୍ଣ୍ଣାଟକର ଗୋରରୁର ଗାଁରେ ନିଜର ପିଲାବେଳ କଟାଇଥିଲେ । ଘରେ ପାଠପଢା ପରେ ସେ ୧୯୬୨ରେ ସୈନିକ ସ୍କୁଲରେ ପାଠ ପଢିବା ଆରମ୍ଭ କରିଥିଲେ । ଏଠାରୁ ସେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ପାଠପଢା ଶେଷ ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ । ସେଠାରେ ଯୋଗଦେବା ସହ ଆଠ ବର୍ଷ ଚାକିରୀ କରିଥିଲେ । ମାତ୍ର ୨୮ ବର୍ଷରେ ସେ ସେନାରୁ ଇସ୍ତଫା ଦେଇ ଚାଷୀ ଭାବେ ନିଜ ଜୀବନ ଆରମ୍ଭ କରିଦେଇଥିଲେ । ଗୋପାଳନ କରିବା ସହ କ୍ଷୀର ବିକ୍ରି କରି ନିଜର ଜୀବନ ଅତିବାହିତ କରିଥିଲେ । ପରେ ଫାର୍ମ ଏବଂ ହୋଟେଲ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ ।

ତେବେ ସେ ଯାହା କରିବାକୁ ଚାହୁଁଥିଲେ ତାର ନିଅ ଖୋଳାଯାଇଥିଲା ୧୯୯୭ ମସିହାରେ । ଯେତେବେଳେ ଜିଆର ଗୋପିନାଥ ଡେକାନ ଏଭିଏସନ ନାଁରେ ଏକ କମ୍ପାନୀ ନିର୍ମାଣ କରିଥିଲେ । ଏଥିରେ ସେ ପ୍ରଥମେ ଲୋକଙ୍କୁ ଚାର୍ଟାଡ ହେଲିକପ୍ଟର ସେବା ଯୋଗାଇବା ଆରମ୍ଭ କଲେ । ଭିଆଇପିଙ୍କୁ ଏହା ସେବା ଯୋଗାଇଆସୁଥିଲା । ଏହା ପରେ ସେ ଲୋକଙ୍କୁ କମ ମୂଲ୍ୟରେ ସେବା ଯୋଗାଇବା ପାଇଁ ୨୦୦୩ରେ ଡେକାନ ଏୟାରଲାଇନର ଶୁଭାରମ୍ଭ କରିଥିଲେ । ଏହାକୁ ଲଞ୍ଚ କରିବା ପାଇଁ ସେ ଜୀବନର ସମସ୍ତପୁଞ୍ଜି ବିନିଯୋଗ କରିଦେଇଥିଲେ । ତେବେ ସେବା ଯୋଗାଇବା ଭିତରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା । ପ୍ରଥମ ଚାରିବର୍ଷ ପରେ ୨୦୦୭ରେ ଏହା ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ ସହ ବିଲୟ ହୋଇଯାଇଥିଲା । ଏହା ପୂର୍ବରୁ ଡେକାନ ଏୟାର ଲାଇନ୍ସ ୪୩ଟି ବିମାନରେ ୬୦ରୁ ଅଧିକ ସ୍ଥାନକୁ ପ୍ରତିଦିନ ୩୫୦ ଟି ଫ୍ଲାଇଟ ଚଳାଉଥିଲା ।

ଏହା ପରେ ବି ସେ ହାର ମାନିନଥିଲେ ୨୦୧୩ରେ ସେ ପୁଣିଥରେ ଡେକାନ ୩୬୦ ନାମରେ ଆଉ ଏକ ଏୟାର କାର୍ଗୋର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟ କିଛି ଦିନ ପରେ ଠପ୍ ହୋଇଯାଇଥିଲା । ବିଭିନ୍ନ କମ୍ପାନୀ ପାଖରୁ ନେଇଥିବା ଟଙ୍କା ପୈଠ କରିନଥିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା ଜିଆର ଗୋପିନାଥ କିନ୍ତୁ ଶିଖାଇ ଦେଲେ ଯେ ଜୀବନରେ ସଫଳତା ଏବଂ ବିଫଳତା ଆସିବ କିନ୍ତୁ ଆମେ କେବେ ମୁଣ୍ଡ ନୁଆଇଁବା ନାହିଁ ।