ସ୍କୁଲକୁ ଡେରିରେ ଯାଉଥିଲେ ଶିକ୍ଷୟିତ୍ରୀ । ରାସ୍ତାରେ ଅଟକେଇ କାରଣ ପଚାରିଲେ ଗଣଶିକ୍ଷା ମନ୍ତ୍ରୀ । ଅଚାନକ ସ୍କୁଲ ପରିଦର୍ଶନ ପରେ ଦେଲେ ଦରମା ବନ୍ଦ ନିର୍ଦ୍ଦେଶ ।

1,006

କନକ ବ୍ୟୁରୋ: ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କିଛି ଦିନ ତଳେ ବାଲେଶ୍ୱରର ସ୍କୁଲରେ ପିଲାମାନଙ୍କୁ ପଣିକିଆ ନଆସିବାରୁ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ସନ ନେବା ପରେ ଆଜି ପୁଣିଥରେ ସ୍କୁଲକୁ ଡେରିରେ ଯାଉଥିବା ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ସନ ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିମାପଡା ଗସ୍ତ ସମୟରେ ମନ୍ତ୍ରୀ ପିପିଲି ଟୋଲ ଗେଟ ଦେଇ ଯାଉଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ଦୁଇ ଜଣ ସ୍କୁଲ ଶିକ୍ଷୟିତ୍ରୀ । ହେଲେ ସେତେବେଳକୁ ସମୟ ୧୦ଟା ୨୦ ବାଜି ସାରିଥିଲା । ମନ୍ତ୍ରୀ ଦୁଇ ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ରଖି ଡେରି ହେବା ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଦୁଇ ଶିକ୍ଷୟିତ୍ରୀ ମନ୍ତ୍ରୀଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ପରବର୍ତ୍ତୀ ସମୟରେ ମନ୍ତ୍ରୀ ପିପିଲି-ନିମାପଡା ମୁଖ୍ୟରାସ୍ତା ପାଖରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ଏହି ସମୟରେ ପିଲାମାନେ ଏଣେତେଣେ ବୁଲୁଥିବାବେଳେ, ଶିକ୍ଷକମାନେ ମଧ୍ୟ ଅଫିସ ଭିତରେ ବସି କଥା ହେଉଥିଲେ । ଖାଲି ସେତିକି ନୁହେଁ ପ୍ରଧାନଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହାପରେ ଡିଇଓ ଓ ବିଇଓଙ୍କୁ ଫୋନ୍ କରି ସେହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଦରମା ବନ୍ଦର ନୋଟିସ କରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।