ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମୀଷା ପଟେଲ, ଜାଣନ୍ତୁ କଣ ରହିଛି ମାମଲା

12,081

କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମୀଷା ପଟେଲ ଠକେଇ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ପୁଣି ଜୁନ ୨୧ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅମୀଷା ପଟେଲଙ୍କ ଉପରେ ରାଞ୍ଚର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ । ଏହାସହ ଠକେଇ ଓ ଧମକ ଦେବା ଭଳି ଅଭିଯୋଗ ଆଣିଥିଲେ ଅଜୟ କୁମାର ସିଂ । ଅମୀଷାଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ସିନେମା ପ୍ରମୋଶନ ଓ ପବ୍ଲିସିଟି ପାଇଁ ଫିଲ୍ମ ନିର୍ମାତା ଅଜୟ କୁମାର ସିଂଙ୍କ ଠାରୁ ୨.୫ କୋଟି ଟଙ୍କା ଅଗ୍ରୀମ ନେଇଥିଲେ । ସିନେମା ସମ୍ପୂର୍ଣ୍ଣ ହେବା ପରେ ସୂଧ ସହ ଟଙ୍କା ଫେରାଇ ଦେବାକୁ ଏଗ୍ରିମେଣ୍ଟ କରିଥିଲେ । ୨୦୧୩ ମସିହାର୍ରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଅମୀଷା ଟଙ୍କା ନଫେରାଇ ତାଙ୍କୁ ଧମକ ଚମକ ଦେଉଥିଲେ ।

ଅମୀଷା ପଟେଲଙ୍କ ନାମରେ ଏହି ମାମଲାରେ କୋର୍ଟ ବାରମ୍ବାର ହାଜିର ହେବାକୁ ନୋଟିସ ଜାରି କରିଥିଲେ । ହେଲେ ସେ କୋର୍ଟଙ୍କ ନୋଟିସକୁ ବେଖାତର କରି କୋର୍ଟରେ ହାଜର ହେଉ ନଥିଲେ  । ଏହାପରେ କୋର୍ଟ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ ।

ସେପଟେ ଅଜୟ କୁମାର ସିଂ କହିଛନ୍ତି କି ବାରମ୍ବାର ଅମୀଷାଙ୍କ ଉପରେ ଟଙ୍କା ଫେରାଇବା ନେଇ ଚାପ ପକାଇବା ପରେ ଅମୀଷା ତାଙ୍କୁ ୨.୫ କୋଟି ଟଙ୍କାର ଏକ ଚେକ୍ ଦେଇଥିଲେ । ହେଲେ ସେ ଚେକ୍ ବାଉନ୍ସ ହୋଇଯାଇଥିଲେ । ଏହାପରେ ଅଜୟ କୁମାର ସିଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।