କେଜ୍ରିୱାଲଙ୍କ ଗିରଫ ପରେ ହଇଚଇ । ଦିଲ୍ଲୀ, ପଂଜାବ, ଗୋଆ, ଗୁଜରାଟରେ ଆପ ସମର୍ଥକ, ନେତା,ମନ୍ତ୍ରୀ,କର୍ମୀଙ୍କ ଜୋରଦାର ବିକ୍ଷୋଭ

248

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀରେ ହଇଚଇ । ଗୁରୁବାରଠୁ ଆରମ୍ଭ ହୋଇଥିବା ସମର୍ଥକଙ୍କ ପ୍ରତିବାଦ ଶୁକ୍ରବାର ସକାଳୁ ଉଗ୍ର ରୂପ ନେଇଛି । ବିଜେପି କାର୍ଯ୍ୟାଳୟଠୁ ନେଇ ଇଡି ମୁଖ୍ୟାଳୟ । ସବୁଠି ପହଁଚିଛନ୍ତି କେଜ୍ରିୱାଲଙ୍କ ସମର୍ଥକ, ଆମ ଆଦମୀ ପାର୍ଟିର ନେତା, ମନ୍ତ୍ରୀ, କର୍ମୀ । ରାଜରାସ୍ତାରେ ଦେଖିବାକୁ ମିଳିଛି ହଲ୍ଲବୋଲ । ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ଓ ମୁହାଁମୁହିଁରେ ଅନେକ ଗିରଫ ମଧ୍ୟ ହୋଇଛନ୍ତି । ସେପଟେ ପଂଜାବରେ ସମର୍ଥକ ମଧ୍ୟ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛି ଆମ ଆଦମୀ ପାର୍ଟି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଶୁକ୍ରବାର ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ କେଜ୍ରିୱାଲଙ୍କ ସମର୍ଥକ ବିକ୍ଷୋଭ କରୁଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଡକୁ ବ୍ୟାରିକେଟ କରାଯିବ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଦୀର୍ଘ କିଲୋମିଟ ପର୍ଯ୍ୟନ୍ତ ଯାନବାହନ ଗୁଡିକ ଛିଡା ହେବା ଯୋଗୁଁ ଦିଲ୍ଲୀବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀ ପୁଲିସ ସୋସିଆଲ ମିଡିଆ ଏକ୍ସରେ ଦିଲ୍ଲୀ ରୁଟ ପରିବର୍ତନ ସମ୍ପର୍କରେ ସୂଚନା ଦେବା ଭିଡରୁ ବଂଚିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ମୁଖ୍ୟତଭାବେ ଇଡି ମୁଖ୍ୟାଳୟ, ବିଜେପି କାର୍ଯ୍ୟାଳୟ, ତିହାର ଜେଲ ରୁଟରେ ପ୍ରବଳ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । ଅନ୍ୟପଟେ ଦିଲ୍ଲୀ ପୁଲିସର ନିର୍ଦ୍ଦେଶକ୍ରମେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ମେଟ୍ରୋ ବନ୍ଦ ରଖାଯାଇଥିଲା ।

କେଜ୍ରିୱାଲଙ୍କ ଗିରଫ ପରେ ସମର୍ଥକ, ଆମ ଆଦମୀ ପାର୍ଟିର୍ କର୍ମୀ,ନେତାଙ୍କ ମଧ୍ୟରେ ଆକ୍ରୋଶ ବଢ଼ୁଛି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟ,ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ହାଇକୋର୍ଟ ସମେତ ସମସ୍ତ ସମ୍ବେଦନଶୀଳ ସ୍ଥାନ ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।