ଉଠୁଛିପଡ଼ୁଛି ଦିଲ୍ଲୀ ଦରବାର । କେଜ୍ରିୱାଲଙ୍କ ଗିରଫଦାରୀ ପରେ ରାଜନୀତି ଜୋର

541

କନକ ବ୍ୟୁରୋ : ପ୍ରବର୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ଓ ଅରବିନ୍ଦ କେଜ୍ରିୱାଲ ଅଣଦେଖାକୁ ନେଇ ଗତ କିଛି ଦିନ ଜାତୀୟ ଗଣମାଧ୍ୟମରେ ଜୋରଦାର ଖବର ପ୍ରଚାର ହେଉଥିଲା । କେଜ୍ରିୱାଲ କାହିଁକି କୋର୍ଟରେ ହାଜର ହେଉ ନାହାନ୍ତି, ଏହାକୁ ନେଇ କୋର୍ଟ ଯାଇଥିଲା ଇଡି । ସେପଟେ ଇଡି ବିରୋଧରେ ବି କୋର୍ଟ ଯାଇଥିଲେ କେଜ୍ରିୱାଲ । ଏକ ଲମ୍ବା ନାଟକ ଜାରି ରହିଥିଲା । ଏପଟେ ରାଜନୈତିକ ପାଣିପାଗ ଜୋର ଧରୁଥିଲା । ଆଗକୁ କ’ଣ ହେବ, ଇଡି ଆଉ କେତେ ସମନ କରିବ? କେଜ୍ରିୱାଲଙ୍କ ଆଗାମୀ ରଣନୀତି କ’ଣ ହେବ, ଏସବୁ ବିଷୟକୁ ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଥିଲା । ଏପରି ସମୟରେ କେଜ୍ରିୱାଲଙ୍କୁ ଗିରଫ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଏହି ଗିରଫଦାରି କରିଛି । ହେଲେ କ’ଣ ଏହି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ଯାହାକୁ ନେଇ ଏବେ ହରଡ଼ଘଟଣାରେ ପଡ଼ିଛି ଆମ୍ ଆଦମୀ ପାର୍ଟି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା
୨୦୨୧ ନଭେମ୍ବରରେ ଦିଲ୍ଲୀ ସରକାର ଏକ ନୂଆ ଅବକାରୀ ନୀତି ଆଣିଥିଲେ । ମଦର ବିକ୍ରିକୁ ସୁପରିଚାଳନା କରିବାକୁ ଏହାର ଲକ୍ଷ୍ୟ ଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିଛି ଏହାକୁ ବିରୋଧ କରିବା ସହ କିଛି ସମର୍ଥନ କରିଥିଲେ । ୨୦୨୨ ଜୁଲାଇରେ ବିବାଦ ନୂଆ ମୋଡ଼ ନେଇଥିଲା । ଦିଲ୍ଲୀର ତକ୍ରାଳୀନ ମୁଖ୍ୟ ସଚିବ ନରେଶ କୁମାର ସେତେବେଳେର ଉପରାଜ୍ୟପାଳ ବିନୟ କୁମାରଙ୍କ ନିକଟରେ ଅଭିଯୋଗ କଲେ । ଅବାକରୀ ନୀତି ମାମଲାରେ ବ୍ୟତିକ୍ରମ ରହିଥିବା ସେ ଏଥିରେ ଦର୍ଶାଇଥିଲେ । ପ୍ରାୟ ୫୮୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କଲେ । ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆର୍ଥିକ ଅନିୟମିତତା ଯୋଗୁଁ ଇଡି ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଆପ୍ ନେତା ଓ ମଦ ମାଫିଆଙ୍କୁ ସୁହାଇବାକୁ ଜାଣିଣୁଣି ଅବକାରୀ ନୀତିରେ ଚେଷ୍ଟା କରାଯାଇଥିବା ଇଡି ଅଭିଯୋଗ କରିଥିଲା । ଆପ୍ ନେତାଙ୍କ ଠାରୁ ମଦ ମାଫିଆମାନେ ଲାଂଚ ନେଇଥିବା ଅଭିଯୋଗ କଲା ଇଡି । ଲାଂଚ ବଦଳରେ ମଦ ମାଫିଆଙ୍କୁ ସୁବିଧା ଯୋଗାଇଥିଲା ଆପ୍ ସରକାର । ରିହାତି, ଲାଇସେନ୍ସ ଫିରେ ଛାଡ଼ ହୋଇଥିବା ଅଭିଯୋଗ ହୋଇଥିଲା ଉଭୟ ସିବିଆଇ ଓ ଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ସିବିଆଇ ରାଡାରରେ ଆସିଥିଲେ ୍ ବହୁ ଆପ୍ ନେତା । ସେତେବେଳର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଅନ୍ୟ ୩ ଜଣଙ୍କ ଘରେ ରେଡ୍ କରିଥିଲା ସିବିଆଇ । ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ସିବିଆଇ । ୨୦୨୨ ସେପ୍ଟେମ୍ବରରେ ଆପ୍ର କମ୍ୟୁନିକେସନ ଇନଚାର୍ଜ ବିଜୟ ନାୟାରଙ୍କୁ ସିବିଆଇ ଗିରଫ କରିଥିଲା ।

ଇଡି ଅଭିଯୋଗ କରିଛି ଯେ, ଦିଲ୍ଲୀ ଅବକାରୀ ନୀତି ନେଇ ହୋଇଥିବା ଦୁର୍ନୀତି ବିଷୟରେ କେଜ୍ରିଓାଲଙ୍କୁ ଭଲ ଭାବେ ଜଣାଥିଲା । ଏପରିକି କିଛି ଅଭିଯୁକ୍ତଙ୍କ ସହ କେଜ୍ରିୱାଲ ସିଧାସଳଖ କଥା ହେଉଥିଲେ । କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କାମ କରୁଥିଲେ ଗିରଫ ହୋଇଥିବା ବିଜୟ ନାୟାର । ଏହାକୁ ନେଇ କେଜ୍ରିୱାଲଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା ଇଡି । ୨୦୨୩ ଅକ୍ଟୋବରରୁ ଚଳିତ ମାସ ଭିତରେ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ ୯ ଥର ସମନ ପଠାଇଥିଲା । ଏଥିରେ ହାଜର ହେବାକୁ କୁହାଯାଇଥିଲା । ହେଲେ ସମନ ସତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ପାଖରେ ହାଜର ହୋଇନଥିଲେ । ବରଂ ମୋଦି ସରକାର ତାଙ୍କୁ ହଇରାଣ କରୁଛି । ଆଉ ଏଥିପାଇଁ ଇଡି ପରି ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରିଛି ବୋଲି କେଜ୍ରିୱାଲ ବାରମ୍ବାର ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ କୋର୍ଟକୁ ବି ଯାଇଥିଲେ । କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେଉ ନାହାନ୍ତି, ତାକୁ ନେଇ ଇଡି କୋର୍ଟରେ ଆବେଦନ କରିଥିଲା । ଆଉ କୋର୍ଟରେ ହାଜର ହୋଇ କେଜ୍ରିୱାଲ ଉତର ରଖିଥିଲେ । ସେପଟେ ଇଡି ବିରୋଧରେ ବି କୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ମୁଖମନ୍ତ୍ରୀ । ଏସବୁ ଚାଲିଥିବା ବେଳେ ଗୁରୁବାର ଇଡିକୁ ଏକ ସଫଳତା ମିଳିଥିଲା । ଗିରଫରୁ ବଂଚିବାକୁ କେଜ୍ରିୱାଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥଲେ, ଏହାକୁ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଆରଏସ୍ ନେତ୍ରୀ କେ.କବିତା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାର କିଛି ଦିନ ପରେ ଦିଲ୍ଲୀ ମୁଖମନ୍ତ୍ରୀ ଗିରଫ ହୋଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବାକୁ ଆମ୍ ଆଦମୀ ପାର୍ଟି କଡ଼ା ସମାଲୋଚନା କରିଛି । କେଜ୍ରିୱାଲଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇପଡ଼ିଥିବା ମୋଦୀ ସରକାର ଇଡିକୁ ହାତବାରିସି କରି ମିଛ ମାମଲାରେ ଫସାଇ ଏପରି ଗିରଫଦାରି କରୁଥିବା ଆପ୍ ଅଭିଯୋଗ କରିଛି । ସେପଟେ ଅନ୍ୟ ବିରୋଧୀ ଦଳ ବି ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଦେଶରେ ଏବେ ଗଣତନ୍ତ୍ର ବିପଦରେ । ମୋଦୀ ସରକାର ଜାଣିଶୁଣି ବିରୋଧୀଙ୍କୁ ହଇରାଣ କରିବାକୁ ଚାହୁଁଛି ଓ ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

କେଜ୍ରିୱାଲଙ୍କ ଗିରଫ ଦାରିକୁ ବିରୋଧ କରି ଆମ ଆଦମୀ ପାର୍ଟି କର୍ମୀଙ୍କ ବିକ୍ଷୋଭ, ପ୍ରତିବାଦ ଚଳାଇଛନ୍ତ ପୋଲିସ ସହ ଧସ୍ତାଧସ୍ତି ହେବା ପରେ ଶତାଧିକ କର୍ମୀଙ୍କୁ ଅଟକ । କ୍ରେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାରା ଦେଶରେ ଆନ୍ଦୋଳନ ଡାକରା ଦେଇଛି ଆମ ଆଦମୀ ପାର୍ଟି । ସେପଟେ କେଜ୍ରିୱାଲଙ୍କ ଗିରଫକୁ ଉଚିତ୍ ବୋଲି କହିଛି ବିଜେପି । ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଆପ୍ ମୁଖ୍ୟ ଆଇନ୍ ଠାରୁ ବଡ ନୁହଁନ୍ତି ବୋଲି କହିଛନ୍ତି ବିଜେପି ନେତା ।
୨୦୨୪ ପାଇଁ ଏବେ ଦେଶର ରାଜନୈତିକ ମାହୋଲ ସରଗରମ ହୋଇପଡ଼ିଥିବା ବେଳେ କେଜ୍ରିୱାଲଙ୍କ ଗିରଫଦାରି ଏହି ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି ।