ଜେଲରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ ଘଟଣାରେ ବଡ଼ ଖୁଲାସା । ଫିଜିଓଥେରାପିଷ୍ଟ ନୁହଁନ୍ତି ,ଦୁଷ୍କର୍ମ ଅଭିଯୁକ୍ତଙ୍କ ଦ୍ୱାରା କରାଯାଉଥିଲା ମସାଜ 

114

କନକ ବ୍ୟୁରୋ: ଦିଲ୍ଲୀ ତିହାର ଜେଲରେ ଥିବା ଆମ୍ ଆଦମୀ ପାର୍ଟି ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ତିହାର ଜେଲ ଅଧିକାରୀଙ୍କ ସୂଚନା ଅନୁସାରେ, ସତ୍ୟେନ୍ଦ୍ର ଜୈନଙ୍କୁ କେହି ଫିଜିଓଥେରାପିଷ୍ଟ ମାଲିସ କରୁନଥିଲେ ବରଂ ଜଣେ କଏଦୀ ମାଲିସ କରୁଥିଲେ ।

ମାଲିସ କରୁଥିବା କଏଦୀ ଜଣକ ହେଲେ ରିଙ୍କୁ, ଯିଏ ଜଣେ ଦୁଷ୍କର୍ମ ଅଭିଯୁକ୍ତ । ସେ ଦୁଷ୍କର୍ମ ମାମଲାରେ ଜେଲରେ ସଜା କାଟୁଛନ୍ତି । ରିଙ୍କୁ ଉପରେ ପକ୍ସୋ ଆକ୍ଟର ଧାରା-୬ ଏବଂ ଆଇପିସି ଧାରା ୩୭୬, ୫୦୬ ଓ ୫୦୯ ଆଧାରରେ ମାମଲା ରୁଜୁ ହୋଇଛି । ଆଉ ରିଙ୍କୁ ପେସାରେ ଜଣେ ଫିଜିଓଥେରାପିଷ୍ଟ ନୁହନ୍ତି ବୋଲି ଜେଲ ଅଧିକାରୀଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ।

ନିକଟରେ ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜଣେ ବ୍ୟକ୍ତି ସତ୍ୟେନ୍ଦ୍ରଙ୍କ ଗୋଡ଼, ପିଠି ଓ ମୁଣ୍ଡରେ ମାଲିସ୍ କରୁଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଆମ୍ ଆଦମି ପାର୍ଟିକୁ ଟାର୍ଗେଟ୍ କରିଥିଲା । ହେଲେ ଆମ୍ ଆଦମି ପାର୍ଟି ତାଙ୍କ ମନ୍ତ୍ରୀଙ୍କ ସମର୍ଥନରେ ବାହାରିଥିଲା । କହିଥିଲା, ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡ ହାଡ଼ରେ ସମସ୍ୟା ଥିଲା । ତାଙ୍କର ଦୁଇଥର ଅସ୍ତ୍ରୋପଚାର ହୋଇଥିଲା । ଡାକ୍ତର ତାଙ୍କୁ ଫିଜିଓଥେରାପି ନେବାକୁ ପରାମର୍ଶ ଦେଇଥିବା ଆପ୍ କହିଥିଲା ।