ଗୁଜରାଟ ପରେ ଏବେ ଆପ୍ ଟାର୍ଗେଟରେ ଛତିଶଗଡ, ରାୟପୁରରେ କେଜ୍ରିୱାଲ ଓ ଭଗୱନ୍ତ ମାନ ଆଜି କରୁଛନ୍ତି ରାଲି

104

କନକ ବ୍ୟୁରୋ : ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିବା ପରେ ଏବେ ଆପ୍ କଂଗ୍ରେସ ଶାସିତ ଛତିଶଗଡ ଉପରେ ନଜର ପକାଇଛି । ଗୁଜରାଟ ଓ ହିମାଚଳରେ ଦଳ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ ବି ଛତିଶଗଡ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ଓ ଭଗୱନ୍ତ ମାନ ଛତିଶଗଡ ଉପରେ ନଜର ପକାଇଛନ୍ତି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆଜି ଛତିଶଗଡର ରାୟପୁରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ହେବାକୁ ଥିବା ସମ୍ମିଳନୀରେ ଭାଗ ନେବାକୁ ଯାଇଛନ୍ତି । ଏଠାରେ ଏହି ଦୁଇନେତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

୨୦୧୮ ମସିହାରେ ଆମ୍ ଆଦମୀ ପାର୍ଟି ପ୍ରଥମଥର ପାଇଁ ଛତିଶଗଡ ବିଧାନସଭା ନିର୍ବାଚନରେ ଭାଗ ନେଇଥିଲା । ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନରେ ଦଳ ୮୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା । ହେଲେ ଦଳ ଗୋଟିଏ ବି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇ ନଥିଲା । ହେଲେ ୨୦୨୨ରେ ପଞ୍ଜାବ ନିର୍ବାଚନ ଜିତିବା ପରେ ଦଳର କର୍ମୀମାନଙ୍କ ଭିତରେ ଉତ୍ସାହ ଭରି ଯାଇଥିବା ଭଳି ଦେଖିବାକୁ ମିଳିଛି ।

ସେପଟେ କେବଳ ଛତିଶଗଡ ନୁହେଁ ଶନିବାର ଦିନ ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରଦେଶର ସମସ୍ତ ୨୩୦ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ମଧ୍ୟ ପ୍ରଦେଶରେ ଚଳିତବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ତଥା ଦଳର ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ଗୋପାଳ ରାୟ ଗଣମାଧ୍ୟମକୁ କହିଛନ୍ତି କି, ଦଳ ତରଫରୁ ଶୀର୍ଷ ନେତାମାନେ ଛତିଶଗଡ ଗସ୍ତ କରି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଗୋପାଳ ରାୟଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୪ଟା ବେଳେ ଅରବିନ୍ଦ କେଜ୍ରିୱାଲ ଓ ଭଗୱନ୍ତ ମାନ ଛତିଶଗଡର କୃଷି ବିଶ୍ୱ ବିଦ୍ୟାଳୟ ନିକଟରେ ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିବେ ।