୯୮ବର୍ଷୀୟ ବୃଦ୍ଧାଙ୍କ କମାଲ । ୫କିମି ଦୌଡିଲେ, ପ୍ରଥମ ସ୍ଥାନ ଅଧିକାର କଲେ

116

କନକ ବ୍ୟୁରୋ : କଥାରେ ଅଛି କିଛି କରିବାର ଇଛା ଥିଲେ ସାମ୍ନାରେ ଯେତେ ବି ବାଧାବିଘ୍ନ ଥାଉନା କାହିଁକି, ସେ ସବୁ ହଟିଯାଏ । ସଫଳତା ଆପଣଙ୍କ ପାଦ ଛୁଇଁଥାଏ । ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା । ଯାହାଙ୍କୁ ଦେଖିବା ପରେ କିଛି କରି ଦେଖାଇବାର ଇଚ୍ଛା ମନରେ ଜାଗ୍ରତ ହୋଇଥାଏ । ଏହି ମହିଳା ଜଣଙ୍କ ଏପରି କାମ କରି ଦେଖାଇଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବୟସର ଅପରାହ୍ନରେ ଏହି ବୃଦ୍ଧ ମହିଳା ୫କିଲୋମିଟର ଦୌଡି ରେକର୍ଡ ସୃଷ୍ଟି କରିଛନ୍ତି ।
ଜଣେ ବୃଦ୍ଧାଙ୍କ ପାଇଁ ୫୯ ମିନିଟ୍ ୬ସେକେଣ୍ଡରେ ୫କିମି ରାସ୍ତା ଦୌଡି ଦୌଡି ଅତିକ୍ରମ କରିବା ଅସମ୍ଭବ ଲାଗୁଥିଲେ ବି ତାକୁ ସମ୍ଭବ କରି ଦେଖାଇଛନ୍ତି ବେଟି ଲିଣ୍ଡବର୍ଗ । ବୃଦ୍ଧ ବୟସରେ ସମସ୍ତେ ଚାହାନ୍ତି ଟିକେ ଆରାମ କରିବା ପାଇଁ । କିନ୍ତୁ ଲିଣ୍ଡବର୍ଗ କେବେବି ଆରାମ କରିବାରୁ ଚାହାନ୍ତି ନାହିଁ । ସେଥିପାଇଁ ତ ଗତ କିଛିଦିନ ତଳେ ଆୟୋଜିତ ହୋଇଥିବା ଦୌଡ ପ୍ରତିଯୋଗୀତାରେ ଭାଗ ନେଇ ମାତ୍ର ୫୯ ମିନିଟ୍ ୬ସେକେଣ୍ଡରେ ୫କିଲୋମିଟର ରାସ୍ତା ଅତିକ୍ରମ କରି ବିଜେତା ହୋଇଛନ୍ତି । ଷ୍ଟାଡିୟମରେ ଯେତେବେଳେ ଲିଣ୍ଡବର୍ଗ ଫିନିସ ଲାଇନ୍ ପାର୍ କରିଥିଲେ ସେତେବେଳେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଥିଲା । ତାଳିମାଡରେ ଫାଟିପଡିଥିଲା ଷ୍ଟାଡିୟମ୍ ।
ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଜଣେ ବ୍ୟକ୍ତି ଏହି ଭିଡିଓକୁ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । କେବଳ ସାଧାରଣ ଲୋକ ନୁହଁତି ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା ବି ଏହି ଭିଡିଓକୁ ସେୟାର କରିଥିବା ଦେଖିବାକୁ ମିଳିଛି ।