ଯାଆଁଳା ଫାଣ୍ଡି ପରିସରରେ ଥିବା ଗାଡିରେ ମହିଳାଙ୍କ କଙ୍କାଳ ଉଦ୍ଧାର। କେମିତି ଜାଣିପାରିଲାନି ପୋଲିସ?

ଫାଣ୍ଡି ଆଗରେ ଥିବା ଗାଡି ଭିତରେ କେମିତି ହେଲା ମୃତ୍ୟୁ? ଆଉ ଜାଣିପାରିଲାନି ପୋଲିସ

191

କନକ ବ୍ୟୁରୋ: ଜାଆଁଳା ପୋଲିସ ଫାଣ୍ଡି ପରିସରରେ ଥିବା ଗାଡି ଭିତରୁ କଙ୍କାଳ ବାହାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାହିଁକି ନା, ଏହା ଏମିତି ଏକ ରହସ୍ୟମୟ କାହାଣୀ, ଯାହା ପୁଲିସର ପାରିବା ପଣିଆ ଏବଂ କାର୍ଯ୍ୟଧାରାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି । ପୁଲିସର ଆଖି ଆଗରେ ଥିବା ଏକ ଗାଡ଼ିରେ ଜଣେ ମହିଳାଙ୍କ ମୃତଦେହ ପଚିଷଢ଼ି କଙ୍କାଳ ପାଲଟିଯିବ କିନ୍ତୁ ପୁଲିସ୍ ଏହାର ଟେର୍ ମଧ୍ୟ ପାଇବ ନାହିଁ । ଏହି କଥାଟି ଶୁଣିବାକୁ ଯେତିକି ଅଜବ ଲାଗୁଛି, ପୋଲିସ ଉପରେ ସେତିକି ସନ୍ଦେହ ସୃଷ୍ଟି କରୁଛି ।

ଜାଆଁଳା ଫାଣ୍ଡି ସାମ୍ନାରେ ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏସୟୁଭି ଗାଡ଼ି ପଡିରହିଥିଲା । ଆଉ ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ସେତେବେଳେ ଗାଡ଼ି ଭିତରୁ ମିଳିଥିଲା କଙ୍କାଳ । ଫେବୃୟାରୀ ମାସରୁ କଙ୍କାଳ ମିଳିଥିଲେ ସୁଦ୍ଧା, ଘଟଣା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଫାଣ୍ଡି ଅଧିକାରୀ ନିଲମ୍ବିତ ହୋଇଛନ୍ତି । ତେଣୁ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ପୁଲିସ୍ କ’ଣ ଲୁଚେଇବାକୁ ଚାହୁଁଥିଲା? ନିଜର ପାରିବା ପଣିଆ ନା’ ସତକୁ ସାମ୍ନା କରିବାର ଭୟ ।

ଅନ୍ୟପଟେ ମିଳିଥିବା କଙ୍କାଳ ସମ୍ପର୍କରେ ସୂଚନା ଦେଇ ଡିସିପି କହିଛନ୍ତି- ମିଳିଥିବା କଙ୍ଗାଳ ଜଣେ ମହିଳାଙ୍କର । ତାଙ୍କ ବୟସ୍କ ପ୍ରାୟ ୪୫ ବର୍ଷ । ସେ ଟିବି ରୋଗରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଖୋଜିବାକୁ କମିଶନରେଟ୍ ପୁଲିସ୍ ଅନୁସନ୍ଧାନ କରୁଛି ବୋଲି ସେ କହିଛନ୍ତି ।

ତେବେ ୬ ମାସ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲେ ବି ପୋଲିସକୁ କାହିଁକି ଏହାର ପରିଚୟ ମିଳିନି ତାକୁ ନେଇ ପ୍ରଶ୍ନ ଉଠିଛି । ଭୁବନେଶ୍ୱରରେ ଯେତେବେଳେ କଟାମୁଣ୍ଡ ମିଳିଥିଲା, ପରିଚୟ ଖୋଜିବା ପାଇଁ କେତେ କ’ଣ କରାଯାଇଥିଲା । ପୋଷ୍ଟର ମାରିବାଠୁ ଆରମ୍ଭ କରି ପୁରସ୍କାର ରାଶି ଘୋଷଣା ହୋଇଥିଲା । ହେଲେ ଏଠି ପୁଲିସ୍ କାହିଁକି ଚୁପ୍ ରହିଲା ତାହା ଏବେ ପ୍ରଶ୍ନବାଚୀ । ଅନ୍ୟପଟେ ଯାଁଳା ଫାଣ୍ଡି ପରିସରରେ ଥିବା ଗାଡି ଭିତରୁ କଙ୍କାଳ ମିଳିବା ଘଟଣାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

– ସ୍ୱାଭାବିକ ମୃତ୍ୟୁ ପାଇଁ ଥାନା ଅଧିକାରୀ ନିଲମ୍ବିତ ହେବା ପଛର କାରଣ କ’ଣ?
– ଫାଣ୍ଡି ପରିସରରେ ମୃତଦେହ ଥିଲା ଫାଣ୍ଡି କର୍ମଚାରୀ କିମ୍ବା ଅଧିକାରୀ ଜାଣି ପାରିଲେନି କେମିତି?
– ଗାଡ଼ିରେ ଥିବା ଶବ କଙ୍କାଳ ହୋଇଗଲା, କେମିତି ଗନ୍ଧ ବି ବାରି ପାରିଲାନି ଯାଆଁଲା ପୁଲିସ?
– ପୁଲିସ୍ ଏମିତି କ’ଣ ଲୁଚାଇବାକୁ ଚାହୁଁଥିଲା, ଯେ- ଘଟଣାକୁ ଗୋପନ ରଖାଯାଇଥିଲା?