ଅନୁଗୁଳ ଜିଲ୍ଲା ହିଞ୍ଜାଢ଼ୋଲ ଗାଁରୁ ଆସିଲା ଦୁଃଖଦ ଘଟଣା। ଗୁରୁତର ଶିଶୁକୁ ମେଡିକାଲରେ ପହଞ୍ଚାଇବା ପାଇଁ ୩୦୦ଟଙ୍କା ମାଗିଲେ ଆମ୍ବୁଲାନ୍ସ ଡ୍ରାଇଭର।

108

କନକ ବ୍ୟୁରୋ: ଟଙ୍କା ନଦେଲେ ଗଡ଼ିବନି ୧୦୮ ଆମ୍ବୁଲାନ୍ସ । ଡ୍ରାଇଭରଙ୍କ ଏଭଳି ଯୁକ୍ତି ଭିତରେ ଚାଲିଗଲା ନବଜାତ ଶିଶୁର ଜୀବନ । ଅନୁଗୁଳ ଜିଲ୍ଲା ହିଞ୍ଜାଢ଼ୋଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗତ ଶନିବାର ଦିନ ସଞ୍ଜୟ ପ୍ରଧାନଙ୍କ ସ୍ତ୍ରୀ ଶିଶୁପୁତ୍ର ଜନ୍ମ ଦେଇଥିଲେ । ନବଜାତ ଶିଶୁ ପୁତ୍ରର ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥିତ ଶିଶୁଭବନକୁ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ । ୧୦୮ ଆମ୍ବୁଲାନ୍ସକୁ ସଂଜୟ ଫୋନ ମଧ୍ୟ କରିଥିଲେ । ଶିଶୁକୁ ମେଡିକାଲ ନେବା ପରିବର୍ତେ ଗାଡ଼ି ଗଡ଼ିବାକୁ ଟଙ୍କା ମୂଲଚାଲ କରିଥିଲା ଡ୍ରାଇଭର । ୩୦୦ ଟଙ୍କା ମାଗିଥିଲା ଡ୍ରାଇଭର ହେଲେ ସଞ୍ଜୟଙ୍କ ପାଖରେ ଟଙ୍କା ନଥିବାରୁ ୨ଶହ ଟଙ୍କା ଦେଇଥିଲେ । ଶିଶୁ ପୁତ୍ରକୁ ତୁରନ୍ତ ଆଣି ହସ୍ପିଟାଲରେ ପହଞ୍ଚାଇବା ପରିବର୍ତେ ବାଟରେ ବିଭିନ୍ନ ବାହାନା କରି ୩ ଥର ଗାଡ଼ି ଅଟକାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ଶିଶୁଟିର ଅବସ୍ଥା ଏହି ସମୟ ଭିତିରେ ଅତ୍ୟନ୍ତ ଖରାପ ହୋଇଯାଇଥିଲା । ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସଂଜୟ ଅଭିଯୋଗ କରିଛନ୍ତି । ପରେ ଏନେଇ ୧୦୮ ଆମ୍ବୁଲାନ୍ସ କଷ୍ଟମର କେୟାରକୁ ଫୋନ କରି ଜଣାଇଥିଲେ ମୃତ ଶିଶୁର ବାପା । କିନ୍ତୁ ଏକଥା ଜାଣିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଶିଶୁର ବାପା ଓ ସମ୍ପର୍କୀୟ ।