ମତେ ତିହାର ଜେଲର ଜହ୍ଲାଦ କରନ୍ତୁ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶି ଦେବି… ନିର୍ଭୟାକୁ ନ୍ୟାୟ ଦେବାକୁ ରାଷ୍ଟ୍ରପତିଙ୍କୁ ଏମିତି ଚିଠି ଲେଖିଲେ ପରିବା ବିକାଳି

1,422

କନକ ବ୍ୟୁରୋ: ମତେ ଜେଲକୁ ଛାଡ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇବି… ଚିଠିରେ ଏମିତି ଏକ କଥା ଲେଖି ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଜଣେ ପରିବା ବିକାଳି । ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଏଯାଏଁ ଫାଶି ଦିଆଯାଇନଥିବାରୁ ଘଟଣାକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କୁ ଏମିତି ଲେଖିଛନ୍ତି ପରିବା ବିକାଳି ।

ତେବେ ହିମାଚଳ ପ୍ରଦେଶରେ ରହୁଥିବା ରବି କୁମାର ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ତିହାର ଜେଲରେ ଜଲ୍ଲାଦ ପଦରେ ନିଯୁକ୍ତି ପାଇଁ ଦାବି କରିଛନ୍ତି। ସେ ୨୦୧୨ରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଫାଶି ଦେବା ପାଇଁ ଏହି ପଦ ଚାହାନ୍ତି ବୋଲି କହିଛନ୍ତି। ତିହାର ଜେଲରେ ଜଲ୍ଲାଦ ନଥିବା କାରଣରୁ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶି ଦେବାରେ ବିଳମ୍ବ ହେଉଛି ବୋଲି ଖବର ସାମ୍ନାକୁ ଆସିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରବି କୁମାର ଏହି ଚିଠି ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି।

ରବି କୁମାର ଶିମଲାରେ ପରିବା ବିକ୍ରି କରିଥାଆନ୍ତି। ଏଥିସହିତ ସେ ଆରଟିଆଇ କାର୍ମକର୍ତ୍ତା ବି ଅଛନ୍ତି। ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି କି, ଟେଲିଭିଜନରେ ଏମିତି ଖବର ଦେଖିବାକୁ ମିଳିଥିଲା କି, ଯେଉଁଥିରେ ସୂଚିତ ଥିଲା ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶି ଦେବା ପାଇଁ ଜଲ୍ଲାଦ ନାହାନ୍ତି। ଏହି କାରଣରୁ ନିର୍ଭୟା ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ଏମିତିରେ ସେହି ପଦରେ ନିଯୁକ୍ତି ଦେବା ପାଇଁ ଆପଣଙ୍କୁ ଆବେଦନ କରୁଛି।

କେବଳ ଏତିକି ନୁହେଁ, ରବି କୁମାର ଏହି ଚିଠିରେ ଆହୁରି ଲେଖିଛନ୍ତି, ନିର୍ଭୟା ଦୁଷ୍କର୍ମ ଘଟଣାକୁ ପୂରା ୭ବର୍ଷ ପୂରି ସାରିଛି। ନିମ୍ନ ଅଦାଲତରୁ ନେଇ ସୁପ୍ରିମକୋର୍ଟରେ ଉକ୍ତ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ହେଲେ ଜହ୍ଲାଦ ନଥିବାରୁ ନ୍ୟାୟ ପାଇପାରୁନି ନିର୍ଭୟା । ତେଣୁ ମୋତେ ନିଯୁକ୍ତି ଦିଅନ୍ତୁ ମୁଁ ତାଙ୍କୁ ଫାଶି ଦେଇ ନିର୍ଭୟାକୁ ଆତ୍ମାକୁ ଶାନ୍ତି ଦେବାକୁ ଚାହୁଁଛି ବୋଲି ରବି ଚିଠିରେ ଉଲ୍ଲେଖ କରିଛନ୍ତି ।