ପୁରୀ ଗଣଦୁଷ୍କର୍ମ ଘଟଣାରେ ବିଜେପିକୁ ବିଜେଡିର ଟାର୍ଗେଟ । ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦ କରୁ, ନଚେତ ଓଡିଶାବାସୀ ଏହାର ଜବାବ ଦେବେ ।

400

କନକ ବ୍ୟୁରୋ : ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦ କରୁ । ପୁରୀ ଗଣଦୁଷ୍କର୍ମ ମାମଲାରେ ବିଜେପି ହୀନ ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେଡି । ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛି ବିଜେଡି । ବାରମ୍ବାର ଅନୁରୋଧ ସତ୍ତେ୍ୱ ମଧ୍ୟ ବିଜେପି ଏହାକୁ ନେଇ ରାଜନୀତି କରିବାରୁ କ୍ଷାନ୍ତ ରହୁନାହିଁ ବୋଲି କହିଛନ୍ତି ବିଜେଡିର ମୁଖପାତ୍ର ଲେନିନ ମହାନ୍ତି ।

ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ଥିବା ଅପରାଧୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିକରଣ କରୁଛି । ଏପରିକି ମାମଲାକୁ ବାଟବଣା କରିବାକୁ ଅତି ତଳସ୍ତରର ରାଜନୀତି କରିବାକୁ ବିଜେପି ପଛାଉ ନାହିଁ ବୋଲି କହିଛି ବିଜେଡି ।

ସେହିଭଳି ବିଜେଡିର ଦୁଇ ମହିଳା ନେତ୍ରୀ ସୁଲତା ଦେଓ ଓ ଶ୍ରୀମୟୀ ମିଶ୍ର କହିଛନ୍ତି, ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ଓଡ଼ିଶାରେ କୌଣସି ଜାତୀୟ ଦଳ ନିମ୍ନସ୍ତରର ରାଜନୀତି କରିବାର ନଜିର ନାହିଁ । ବିଜେପି ଏଭଳି କରି ଅସଲ ମୁଦ୍ଦା ଉପରୁ ଧ୍ୟାନ ହଟାଇବାକୁ ଚାହୁଁଛି । ପୀଡିତା କିଭଳି ନ୍ୟାୟ ପାଇବେ ସେ କଥା ଚିନ୍ତା ନ କରି ଏହାକୁ ମୁଦ୍ଦା କରି ରାଜନୀତି ରୁଟି ସେକିବାକୁ ଚାହୁଁଛି । କିନ୍ତୁ ବିଜେପିର ଏଭଳି ଆଚରଣକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ତେଣୁ ବିଜେପି ନେତାଙ୍କର ଜ୍ଞାନ ଉଦୟ ହେଉ ଓ ଏମାନେ ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବାରୁ ଦୂରେଇ ରୁହନ୍ତୁ ।