ପ୍ରାର୍ଥୀ ଭରୁଛନ୍ତି ନାମାଙ୍କନ: ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ କରିବେ ପ୍ରାର୍ଥୀପତ୍ର ଦାଖଲ

103

କନକ ବ୍ୟୁରୋ: ନାମାଙ୍କନ ଭରିବେ ବଲାଙ୍ଗିର ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ । ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ଉଭୟ ପ୍ରାର୍ଥୀ ପାଟଣେଶ୍ୱରୀ ଓ ସମ୍ବଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଶିବ ମନ୍ଦିର ନିକଟରୁ ବାହାରିଥିଲା ଶୋଭାଯାତ୍ରା । ହଜାର ହଜାର ସମର୍ଥକଙ୍କ ସହ ଉଭୟ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ ଅଫିସ୍ରେ ପହଂଚିଛନ୍ତି । ସେଠାରେ କଳିକେଶ ନାରାୟଣ ସିଂହଦେଓଙ୍କ ନାମାଙ୍କନ ଦାଖଲ କରାଯିବ । ଏହା ପରେ ଶୋଭାଯାତ୍ରା ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସରେ ପହଂଚିବ । ସେଠାରେ ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ଭୋଇ ନାମାଙ୍କନ ଦାଖଲ କରିବେ ।

ଆଜି ନାମାଙ୍କନ ଦାଖଲ କରିବେ ବିଜେପି ଭୁବନେଶ୍ୱର ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ’ କରି ପ୍ରାର୍ଥିପତ୍ର ଦାଲ କରିବାକୁ ଯାଉଛନ୍ତି ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଏହି ଶୋଭାଯାତ୍ରା ବାହାରିଛି । ରିଟର୍ଣ୍ଣି ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ନାମାଙ୍କନ ଦାଖଲ କରିବେ ।

ଆଜି ନାମାଙ୍କନ ଦାଖଲ କରିବେ ବାରବାଟୀ-କଟକ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଏକ ବିରାଟ ଶୋଭାଯାତ୍ରାରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି । ପ୍ରଥମେ କଟକ ଦୋଳମୁଣ୍ଡାଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଦୋଳମୁଣ୍ଡାଇ ଛକରୁ ଖୋଲା ଜିପ୍ରେ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକଙ୍କ ସହ ରାଲିରେ ବାହାରି କଟକ ସେମିନାର ଛକ, ଗୌରିଶଙ୍କର ପାର୍କ, ଚୌଧୁରୀ ବଜାର ଏବଂ ସ୍ୱରାଜ ଆଶ୍ରମ ଦେଇ ଉପଜିଲ୍ଲାପାଳଙ୍କ ଅଫିସ୍ରେ ପହଂଚିବ । ପ୍ରକାଶ ବେହେରାଙ୍କ ସହ ତାଙ୍କ ପତ୍ନୀ, ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କଟକ ମେୟର ସୁବାସ ମଧ୍ୟ ଉପସ୍ଥିତ ଅଛନ୍ତି ।