ବିଜେପିରେ ସାମିଲ ହେଲେ ରୂପାଲି ଗାଙ୍ଗୁଲି । ଅନୁପମା ସିରିଏଲ ଜରିଆରେ ଘରେ ଘରେ ପରିଚିତ ରୂପାଲି ।

280

କନକ ବ୍ୟୁରୋ : ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ସହ ରୂପାଲି କହିଛନ୍ତି, ବିକାଶର ମହାଯଜ୍ଞ ଦେଖିବା ପରେ ମୋତେ ଅନୁଭବ ହେଲା ଯେ ଏଥିରେ ସାମିଲ ହେବା ଆବଶ୍ୟକ । ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି ।

ଅନୁପମା ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲିଙ୍କୁ ଦର୍ଶକ ବେଶ ପସନ୍ଦ କରନ୍ତି । ଏହି ସିରିଏଲ ରୂପାଲିଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି । ଫିଲ୍ମ ନିର୍ଦ୍ଦେଶକ ଅନିଲ ଗାଙ୍ଗୁଲିଙ୍କ ଝିଅ ହେଉଛନ୍ତି ରୁପାଲି ଗାଙ୍ଗୁଲି । ମାତ୍ର ୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ରୂପାଲି ୨୦୦୩ରେ ସଞ୍ଜିବନୀ ସିରିଏଲରୁ ଦର୍ଶକଙ୍କ ମଧ୍ୟରେ ଅଧିକ ପରିଚିତ ହୋଇଥିଲେ । ଏହାପରେ ବିଗବସ୍ ସିଜିନ-୧ରେ ଭାଗ ନେଇଥିଲେ ରୂପାଲି । ୨୦୧୩ରେ ପରବରିଶ ସିରିଏଲରେ ଅଭିନୟ କରିବା ପରେ ୭ ବର୍ଷ ଯାଏଁ ବ୍ରେକ ନେଇଥିଲେ । ଏହାପରେ ଅନୁପମା ସିରିଏଲ ଜରିଆରେ ଟେଲି ଦୁନିଆରେ ପୁଣିଥରେ ଏଣ୍ଟ୍ରି ମାରିଥିଲେ ରୂପାଲି ।

ରୂପାଲି ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ପ୍ରଂଶସକ । ଅନେକ ସମୟରେ ମୋଦିଙ୍କୁ ପ୍ରଂଶସା କରନ୍ତି ରୂପାଲି । ଏପରିକି କିଛି ଦିନ ପୂର୍ବରୁ ମୋଦିଙ୍କୁ ଭେଟିବା ପରେ ରୂପାଲି କହିଥିଲେ, ମୋ ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ଷ୍ଟାର । ଯିଏ ଭାରତକୁ ବିକାଶର ଏକ ନୂଆ ଶିଖରରେ ପହଞ୍ଚାଇଛନ୍ତି ।