କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ସତ୍ୟପାଠରେ ଟିକିନିକି ତଥ୍ୟ ଦେଲେ ନବୀନ ।

734

କନକ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ୫ ଥର ଶାସନ ଡୋରି ଧରିଥିବା ନବୀନ ପଟ୍ଟନାୟକଙ୍କ ପାଖରେ ଏକ ପୁରୁଣା ଆମ୍ବାସଡର କାର ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୬ ହଜାର ୪୩୪ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ସତ୍ୟପାଠ ଜରିଆରେ ସେ ତାଙ୍କର ସମ୍ପତି ତାଲିକା ଦାଖଲ କରିଛନ୍ତି । ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସ୍ଥାବର ଅସ୍ଥାବର ସମ୍ପତିର ପରିମାଣ ୭୧ କୋଟି ୭ ଲକ୍ଷ ୭୮ ହଜାର ୩୬୪ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସ୍ଥାବର ସମ୍ପତିର ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସେହିପରି ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ।

ସ୍ଥାବର ସମ୍ପତି ମଧ୍ୟରେ ରହିଛି ନଗଦ ୩୦ ହଜାର ଟଙ୍କା । ନବୀନ ପଟ୍ଟନାୟଙ୍କ ପାଖରେ ରହିଛି ୪୫ ଗ୍ରାମର ଗହଣା । ଯାହାର ମୂଲ୍ୟ ୪ ଲକ୍ଷ ୧୭ ହଜାର ୯୫ ଟଙ୍କା । ସେହିପରି ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସ୍ ଓ ବଣ୍ଡ ଆକାରରେ ୧୪ କୋଟି ୦୧ ଲକ୍ଷ ୬ ହଜାର ୮୩୫ ଟଙ୍କା ଜମା ରହିଛି । ଅସ୍ଥାବର ସମ୍ପତି ମଧ୍ୟରେ ରହିଛି ନବୀନ ନିବାସର ଦୁଇ ତୃତୀୟାଂଶ ଭାଗ । ଯାହାର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ । ନୂଆ ଦିଲ୍ଲୀ ସ୍ଥିତ ଏପିଜେ ଅବଦୂଲ କଲାମ ରୋଡ୍ରେ ଥିବା ସମ୍ପତିର ୫୦ ପ୍ରତିଶତ ଅଂଶୀଦାର ରହିଛନ୍ତି ନବୀନ । ଏହି ସମ୍ପତିର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ।