୭୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ କରିଛନ୍ତି ୭୦ ବର୍ଷିୟ ବୃଦ୍ଧା ଚାଷୀ: ଜୈବିକ ଖତ ଦେଇ ଚାଷ କରୁଛନ୍ତି କୋରାପୁଟର ତୁଳସା

85

କନକ ବ୍ୟୁରୋ: ୭୦ ପ୍ରକାର ଦେଶୀ ବିହନ ସଂଗ୍ରହ କରିଛନ୍ତି ୭୦ ବର୍ଷିୟ ବୃଦ୍ଧା । ସବୁ ବିହନକୁ ଗୋଟିଏ ସ୍ଥାନରେ ସାଇତି ରଖିଛନ୍ତି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ନୂଆଗୁଡା ଗାଁର ତୁଳସା ଘେଉରିଆ । ପରିଣତ ବୟସରେ ଜୈବିକ ଖତ ବ୍ୟବହାର କରି ଚାଷ କରୁଛନ୍ତି ଏହି ବୃଦ୍ଧା । ଆଉ ଆଗାମୀ ପୀଢି ପାଇଁ ସାଇତି ରଖୁଛନ୍ତି ଦେଶୀ ଧାନ ବିହନ । ଏହି ବିହନରେ ନିଜେ ଚାଷ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଯୋଗାଇ ଦେଉଛନ୍ତି । ତେବେ ବର୍ତମାନ ସମୟରେ ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍ ବିହନ ନେଇ ଚାଷ କରୁଥିବା ବେଳେ ଏହି ଆଦିବାସୀ ମହିଳା ଚାଷୀ ଦେଶୀ ପ୍ରଣାଳୀରେ, ଦେଶୀ ବିହନରେ ଚାଷ କରିବାକୁ ପସନ୍ଦ କରନ୍ତି । ଆଉ ଏହି କାମରେ ତାଙ୍କୁ ପୁରା ପରିବାର ସହଯୋଗ କରୁଛନ୍ତି । ପୁଅ, ବୋହୂ, ନାତି ଓ ନାତୁଣୀଙ୍କ ସହଯୋଗରେ ଚାଷ ଜାରି ରଖିଛନ୍ତି ତୁଳସା । ତେବେ ନିଜେ ୫ରୁ ୬ ପ୍ରକାର ବିହନରେ ଚାଷ କରୁଥିବା ବେଳେ ଅନ୍ୟ ବିହନ ଅନ୍ୟ ଚାଷୀଙ୍କୁ ଦେଇଥାନ୍ତି । ଏବଂ ସେମାନଙ୍କ ଠାରୁ ବିହନ ସଂଗ୍ରହ କରି ରଖନ୍ତି । ଧାନକୁ ସୁଖାଇ ସେଥିରେ, ଗୋବର ଲଗାଇ ସାଇତି ରଖୁଛନ୍ତି । ୭୦ ବର୍ଷ ବୟସରେ ତୁଳସାଙ୍କ ବିହନ ସଂଗ୍ରହ କରିବାର ନିଶାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।