କିଡନୀ ରୋଗରେ ପଡ଼ିଛି ୨୨ବର୍ଷର ପୁଅ । ପୁଅକୁ ବଂଚାଇବା ପାଇଁ ଭିକ୍ଷାଥାଳ ଧରିଲେ ବାପା-ମାଆ ।

122

କନକ ବ୍ୟୁରୋ:   ଆଖିରେ ଲୁହ, ହାତରେ ଭିକ୍ଷା ଥାଳ ଆଉ ମନରେ ପୁଅକୁ ବଂଚାଇବା ପାଇଁ ବାପା ମାଙ୍କ ସଂଘର୍ଷ । ଭେଣ୍ଡିଆ ପୁଅ ଯେତେବେଳେ ମୃତ୍ୟୁ ସହ ସଂଘର୍ଷ କରୁଥିବ ଆଉ ବାପା ମା ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିବ, ସରକାରୀ ସହାୟତା ମିଳୁନଥିବ, ସେତେବେଳେ ଏମିତି ଭିକ୍ଷା ବୃତି ଆପଣେଇବାକୁ ବାଧ୍ୟ ହୋଇଛନ୍ତି ବାପା ମା । ଏକ ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକରୁ ।  ପଥରା ଗାଁର ମଝି ସାହିର ନରକାର ସାଧବ କିଡନି ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଏମିତି ପନ୍ଥା ଆପଣାଇଛନ୍ତି ତାଙ୍କ ବାପା ଲକ୍ଷ୍ମଣ ସାଧବ ଓ ମା ସଞ୍ଜୁତା ସାଧବ ।

ବିଜୁ ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ କିଛି ସହାୟତା ନିରାକାରକୁ ମିଳିଥିବା ବେଳେ ଘରେ ଥିବା ସଂଚିତ ଟଙ୍କା ଓ ସୁନା ଗହଣା ବିକ୍ରି କରି ପୁଅର ଚିକିତ୍ସା ଚଳାଇଛନ୍ତି । ବର୍ତମାନ ସୁଦ୍ଧା ପୁଅର ଚିକତ୍ସା ପାଇଁ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ ହୋଇସାରିଲାଣି । ଏବେ ପ୍ରତି ସପ୍ତାହରେ ଡାଇଲେସିସ ପାଇଁ ଆବଶ୍ୟକ ପଡୁଛି ୧୫ ହଜାର ଟଙ୍କା  । ହେଲେ, ସ୍ୱାସ୍ଥ୍ୟ କାର୍ଡରୁ ପ୍ରତି ଡାଇଲେସିସ ପାଇଁ ମିଳୁଚି ମାତ୍ର ୧୫ ଶହ ଟଙ୍କା  ।  ଅବଶିଷ୍ଠ ଟଙ୍କା ଯୋଗାଡ କରିବା ପାଇଁ ଭିକ୍ଷା ବୃତିକୁ ଆପଣାଇ ନେଇଛନ୍ତି ଉଭୟ ବାପା ଓ ମା ।

ନିରାକାର ବର୍ତମାନ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଉଥିବା ବେଳେ ପୁଅର କିଡିନି ପ୍ରତିରୋପଣ କରିବା ପାଇଁ ଡାକ୍ତର କହିଛନ୍ତି  । କିନ୍ତୁ କିଡିନି ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ  ହେଉଥିବାରୁ ନିରାକାରକୁ ବଂଚାଇବା ପାଇଁ ବାପା ମା ଓ ଗ୍ରାମବାସୀ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି  ।