ସମ୍ଭାବ୍ୟ ବାତ୍ୟା ଜିୱାଦକୁ ଦୃଷ୍ଟିରେ ରଖି ୯୫ଟି ଟ୍ରେନ୍ ବାତିଲ

423

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ୍ । ରେଳ ବିଭାଗ ବାତ୍ୟା ଜିୱାଦ ପାଇଁ ମୋଟ ୯୫ଟି ଟ୍ରେନ୍ ବାତିଲ କରିଦେଇଛି । ଆସନ୍ତା ୩ ଓ ୪ ତାରିଖରେ ଏହି ଟ୍ରେନ୍ ସବୁ ଚାଲିବାକୁ ଥିଲା, ହେଲେ ବାତ୍ୟା କାରଣରୁ ଏହାକୁ ଏବେ ବାତିଲ କରିଦିଆଯାଇଛି ।

ଏବେ ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ‘ଜୱାଦ’ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । ଲଘୁଚାପ ଧୀରେ ଧୀରେ ବଳ ଗୋଟାଇ ୩ ତାରିଖରେ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ପରେ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇ ଡିସେମ୍ବର ୪ ତାରିଖ ସକାଳୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ନିକଟ ଉପକୂଳରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ଗତି ଘଣ୍ଟାପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି ।