କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ

154

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ବିଜେପିର ନେତ୍ରୀ ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ବ୍ୟାପକ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ । । ତାଙ୍କ ସହ ବିଜେପିର ଅନ୍ୟ ସାଂସଦ ବିଧାୟକ ଏବଂ ପ୍ରାର୍ଥୀ ଉପସ୍ଥିତ ରହି ସେମାନେ ବି ଭଗବାନଙ୍କ ଆଶିର୍ବାଦ ନେଇଛନ୍ତି । ନିର୍ବାଚନ ଫଳାଫଳ ପୂର୍ବରୁ ବସୁନ୍ଧରା ରାଜେଙ୍କ ଏଭଳି ଦେବ ଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରବିବାର ୪ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା । ଏହାର ଦିନକ ପରେ ମିଜୋରାମରେ ହେବ ଭୋଟ ଗଣତି । ଏହା ପୂର୍ବରୁ ଭଗବନାଙ୍କ ଦ୍ୱାରରେ ପହଁଚୁଛନ୍ତି ନେତା । ସୋମନାଥ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ସେପଟେ ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଛନ୍ତି । ସେହପରି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ୱବହନ କରୁଛି । ଏହି ୫ ରାଜ୍ୟରେ ମୋଟ ୨୦ କୋଟି ଭୋଟର ଅଛନ୍ତି । ଆଉ ଏମାନଙ୍କ ମତଦାନ ବହୁ ଗୁରୁତ୍ୱ ବହନ କରୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ବିଧାନସଭା ଫଳାଫଳ ଏକ ପ୍ରକାର ନିର୍ଣ୍ଣାୟକ ହୋଇପାରେ । ଫାଇନାଲ ମ୍ୟାଚ୍ ପୂର୍ବରୁ ଏହା ସେମିଫାଇନାଲ ବୋଲି କୁହାଯାଉଛି । ଏଥିରେ ଯେଉଁ ଦଳେ ବାଜି ମାରିବ, ୨୪ରେ ତାର ପଲ୍ଲା ଭାରି ରହିବ ବୋଲି କୁହାଯାଉଛି ।