ଗୁଜରାଟ ଫେରିଲେ କଂଗ୍ରେସର ୪୪ ବିଧାୟକ । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ କରିବେ ମତଦାନ

30

କନକ ବ୍ୟୁରୋ: ଗୁଜରାଟ ଫେରିଲେ କଂଗ୍ରେସ ବିଧାୟକ । ୯ ଦିନ ପରେ ବେଙ୍ଗାଲୁରୁରୁ ଗୁଜରାଟ ଫେରିଛନ୍ତି ୪୪ ଜଣ କଂଗ୍ରେସ ବିଧାୟକ । ଆଜି ଏହି ବିଧାୟକ ମାନେ ଅହମଦାବାଦରେ ପହଂଚିଛନ୍ତି । ଏଠାରେ ସେମାନଙ୍କୁ ଏକ ରିସୋର୍ଟରେ ରଖାଯିବ । ଆସନ୍ତାକାଲି ଏହି ବିଧାୟକମାନେ ଏଠାରୁ ସିଧା ବିଧାନସଭାକୁ ଯାଇ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ କରିବେ ।

ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା । ୬ ଜଣ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ତେବେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୩ ଜଣ ବିଜେପିରେ ସାମିଲ ହୋଇଥିଲେ ।

ଯେଉଁଥିପାଇଁ ବିଜେପି ଘୋଡାବେପାର କରିବା ସହ ବିଧାୟକମାନଙ୍କୁ ଧମକାଇଥିବା ମଧ୍ୟ ଅଭିଯୋଗ କରିଥିଲା କଂଗ୍ରେସ । ନିର୍ବାଚନ କମିଶନଙ୍କୁ ଭେଟି କଂଗ୍ରେସ ପ୍ରତିନିଧି ଦଳ ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଜୁଲାଇ ୨୯ରେ ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁର ଇଗଲଟର୍ଣ୍ଣ ରିସୋର୍ଟରେ ଦେଖିବାକୁ ମିଳିଥିଲା ।