ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ ବି ୮୮ ନିଖୋଜ ଥିବା କହିଲେ ନୀତିଶଙ୍କ ମନ୍ତ୍ରୀ ।

181

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ପଶ୍ଚିମବଙ୍ଗର । ଏବେ ମଧ୍ୟ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନେକ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି । ଏସବୁ ଭିତରେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ୪୪ ଜଣ ଆହତ ହୋଇଛନ୍ତି । ଏହାସହ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଏବେ ମଧ୍ୟ ୮୮ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି । ସେହିଭଳି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜଖବର ମିଳୁନି । ଯେଉଁମାନେ କରମଣ୍ଡଳ ଏକ୍ସପ୍ପେସରେ ଯାତ୍ରା କରୁଥିଲେ । ତେଣୁ ଏବେ ପ୍ରଶ୍ନ ଉଠିଲାଣି, ନିଖୋଜ ବ୍ୟକ୍ତି ଗଲେ କୁଆଡେ?

ଅନ୍ୟପଟେ ଅନେକ ମୃତଦେହ ଚିହ୍ନଟ ହୋଇପାରୁନଥିବାରୁ ଡିଏନଏ ଟେଷ୍ଟିଂ ଜରିଆରେ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି । ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା । ଦୁଇ ଦିନ ଭିତରେ ଏହି ସବୁ ନମୁନାର ରିପୋର୍ଟ ଆସିବ । ଏବେ ବି ଅନେକ ମୃତଦେହର ସୂଚନା ମିଳିନି । ଅନ୍ୟପଟେ ଗୋଟିଏ ମୃତଦେହ ପାଇଁ ୬ ଜଣ ଦାବିଦାର ଥିବା ସୂଚନା ମିଳିଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହା କହିଛନ୍ତି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏମସ ନିର୍ଦ୍ଦେଶକ କହିଛନ୍ତି, ଡିଏନଏ ଟେଷ୍ଟ ମାଧ୍ୟମରେ ପରିଚିତ ଚିହ୍ନ ବା ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।