ବାକ୍ସରେ ପଡି ପଡି ଖତ ଖାଇଲା ୪୨ ଲକ୍ଷର ନୋଟ୍ । ପଦାରେ ପଡିଲା ବ୍ୟାଙ୍କର ବେପରୁଆ ନୀତି

947

କନକ ବ୍ୟୁରୋ: ରହି ରହି ଖତ ହେଲା ୪୨ ଲକ୍ଷ ଟଙ୍କାର ୨ ହଜାର ଓ ୫୦୦ ଟଙ୍କିଆ ନୋଟ୍ । କାନପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଣ୍ଡୁନଗର ବ୍ରାଞ୍ଚରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର ଟିମ ଇନସ୍ପେକ୍ସନ୍ ପାଇଁ ଯାଇଥିବା ବେଳେ ଏହି ମାମଲା ସାମନାକୁ ଆସିବା ପରେ ବ୍ୟାଙ୍କର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

ବ୍ୟାଙ୍କରେ ଲୋକେ ଟଙ୍କା ରଖନ୍ତି ସୁରକ୍ଷିତ ଭାବେ ସଞ୍ଚିତ ହୋଇ ରହିବା ପାଇଁ ହେଲେ ଯଦି ସେ ଟଙ୍କା ବ୍ୟାଙ୍କରେ ରହି ରହି ନଷ୍ଟ ହୋଇଯାଏ ଗ୍ରାହକ କହିବେ କାହାକୁ । କାନପୁରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଟଙ୍କାକୁ ଏପରି ହେପାଜତରେ ରଖାଯାଇଥିଲା ଯେ, ପାଣିରେ ଭିଜି ପୁରାପୁରି ନଷ୍ଟ ହୋଇଗଲା ୪୨ ଲକ୍ଷ ଟଙ୍କାର ନୋଟ୍ ।

କଥା ହେଉଛି ୩ ମାସ ପୂର୍ବରୁ ଏହି ଟଙ୍କାକୁ ବ୍ୟାଙ୍କ ପକ୍ଷରୁ ଏକ ବାକ୍ସରେ ପୁରାଇ ରଖାଯାଇଥିଲା । ହେଲେ ଏହି ବାକ୍ସ ଭିତରେ ପାଣି ପଶିଯାଇଥିଲା । ବ୍ୟାଙ୍କ କର୍ମଚାରୀମାନେ ଟଙ୍କାକୁ ଏପରି ଅବସ୍ଥାରେ ଦେଖିଲେ ହେଲେ କେବଳ ଉପର ଟଙ୍କାକୁ କାଢି ଶୁଖାଇଥିଲେ ଏବଂ ତଳେ ଥିବା ଟଙ୍କାକୁ ଛାଡିଦେଇଥିଲେ । ପାଣି ଶୁଖିଯାଇଛି ଭାବି ଏହା ଉପରେ ଆଉ ନଜର ଦେଇନଥିଲେ । ଫଳରେ ପାଣିରେ ଭିଜି ଭିଜି ସଢିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହି ସମୟ ମଧ୍ୟରେ ସର୍ବେକ୍ଷଣ ପାଇଁ ଆସିଥିଲେ ରିଜର୍ଭ ବ୍ୟାଙ୍କ ଟିମ୍ । ନୋଟକୁ ଏପରି ଖରାପ ସ୍ଥିତିରେ ଦେଖିବା ପରେ ସମ୍ପୃକ୍ତ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କେବଳ ନୁହେଁ ବ୍ୟାଙ୍କର ୪ଜଣ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।