ଜୀବନ ଯୁଦ୍ଧରେ ହାରିଗଲା ସୁଜିତ । ୪ ଦିନ ତଳେ ବୋରୱେଲ ମଧ୍ୟକୁ ଖସିପଡିଥିଲା କୁନି ପୁଅ, କାଲି ଉଦ୍ଧାର ହେଲା ମୃତଦେହ ।

1,031

କନକ ବ୍ୟୁରୋ : ତାମିଲନାଡ଼ୁ ତିରୁଚିରାପ୍ପଲୀର ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟକୁ ଖସି ପଡ଼ି ଗତ ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ଦୁଇ ବର୍ଷ ବୟସ୍କ ବାଳକ ସୁଜିତ୍‌ ଓ୍ୱିଲସନ୍ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି । ଗତକାଲି ବିଳମ୍ବିତ ରାତିରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟିକୁ ଗାତରୁ ନିରାପଦରେ ଉଦ୍ଧାର କରିବାକୁ ଚାଲିଥିବା ଆପ୍ରାଣ ଉଦ୍ୟମ ଶେଷରେ ବିଫଳ ହୋଇଛି ।

ଏକ ପରିତ୍ୟକ୍ତ ବୋରୱେଲର ୭୦ ଫୁଟ ତଳକୁ ଖସି ପଡ଼ିଥିବା ସୁଜିତ୍‌କୁ ବୋରେଓ୍ଵଲ ମଧ୍ୟରୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳର ସବୁ ଉପାୟ ଫେଲ୍‌ ମାରିଥିଲେ ସୁଦ୍ଧା ଗତକାଲି ଯାଏଁ  ଆଶା ହରାଇ ନଥିଲା  କିମ୍ବା ନିଜ ପରାଜୟକୁ ସ୍ୱୀକାର କରି ନଥିଲା ଉଦ୍ଧାରକାରୀ ଦଳ । ମାତ୍ର ଗତକାଲି ବିଳମ୍ବିତ ରାତିରେ ଯେତେବେଳେ ଦୀର୍ଘ ଚାରି ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏନ୍‌ଡିଆରଏଫ୍ ଟିମ୍‌ ସୁଜିତ ନିକଟରେ ପହଞ୍ଜିଥିଲା ସେତେବେଳକୁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା । ଶିଶୁଟିର ମୃତ୍ୟୁ‌ରେ ସମଗ୍ର ଅଂଚଳ ଓ ପରିବାର ସ୍ତବ୍ଧ ପାଲଟି ଯାଇଛି ।

ସୋମବାର ସକାଳୁ ସୁଜିତ୍‌କୁ ବୋରେଓ୍ଵଲ ମଧ୍ୟରୁ ଉଦ୍ଧାର କରିବା ପାଇଁ ଏକ ନୂତନ ଉପାୟ କରାଯାଇ ସୁଜିତ୍‌ ଖସିପଡ଼ିଥିବା ବୋରେଓ୍ଵଲ କଡ଼ରେ ସମାନ୍ତରଳ ଭାବେ ଆଉ ତିନିଟି ବୋରେଓ୍ଵଲ କରାଯିବା ସହ ଉଦ୍ଧାର ପାଇଁ ଶେଷ ପ୍ରସାସ ଆରମ୍ଭ କରିଥିଲା ଉଦ୍ଧାରକାରୀ ଦଳ । ଉଦ୍ଧାରକାରୀ ଦଳର ମୁଖ୍ୟ କହିଥିଲେ ଯେ ଏହି ପ୍ରୟାସ ସଫଳ ହେବ ଏବଂ ଆଉ ୧୨ ଘଣ୍ଟା ମଧ୍ୟରେ ଆମେ ସୁଜିତ୍‌କୁୁ ବୋରେଓ୍ଵଲ ମଧ୍ୟରୁ ଉଦ୍ଧାର କରିବାରେ ସମର୍ଥ ହେବୁ ।

ଏଠାରେ ସୂଚାନଯୋଗ୍ୟ ଯେ ଗତ ୨୫ ତାରିଖରେ ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ନଳକୂପର ୩୦ ଫୁଟ ତଳକୁ ଖସି ପଡିଥିଲା । ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିଲା । ହେଲେ ଶେଷରେ ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି ।