କମିବ ତାପମାତ୍ରା । ନଭେମ୍ବର ମାସରୁ ସାରା ରାଜ୍ୟରେ ଅନୁଭୂତ ହେବ ଶୀତ ।

619

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ଶ୍ରୀଲଙ୍କା ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରାପଲାଇନ୍‌ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ବଳୟ ସୃଷ୍ଟି ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବରଂ କେରଳ, ତାମିଲନାଡ଼ୁ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ନଭେମ୍ବର ମାସରୁ ରାଜ୍ୟରେ ଶୀତ ଅନୁଭୂତ ହେବ । ପ୍ରଥମ ସପ୍ତାହ ଶେଷ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, କୋରାପୁଟରେ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତରେ ରହିଥିବା ଗୁରୁଚାପର ସିଧାସଳଖ ପବନ ରାଜ୍ୟକୁ ‌ବହିବ । ଫଳରେ ଅକ୍ଟୋବର ୩୧ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ନଭେମ୍ବର ୧ରୁ ଭୁବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା‌ ପ୍ରାୟ ଦେଢ଼ ଡିଗ୍ରି କମିବ ।

ତେବ‌େ ପରବର୍ତୀ ୫ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । ୩୦ ଓ ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ । ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପରବର୍ତୀ ସମୟରେ ଘନୀଭୂତ ହୋଇ ବଙ୍ଗୋପସାଗରର ପୂର୍ବରେ ଗତି କରିବ । ଫଳରେ ଥାଇଲାଣ୍ଡ, ମିଆଁମାର ଓ ଉତ୍ତରପୂର୍ବ ଭାରତରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି । ଗୁରୁଚାପ ପବନ ହେତୁ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆଜି ଦିନତମାମ ରାଜ୍ୟରେ ପାଗ ଶୁଖିଲା ରହିଥିଲା । କୋରାପୁଟ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ବି ସ୍ଥାନରେ ବର୍ଷା ହୋଇନାହିଁ । ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୧୯.୧, ସୋନପୁର‌ରେ ୧୯.୪ ଡିଗ୍ରି ରେକର୍ଡ କରାଯାଇଛି । ଅନ୍ୟ ସମସ୍ତ ସ୍ଥାନରେ ପାରଦ ୨୦ ଡିଗ୍ରି ଉପରେ ରହିଥିଲା ।