ଖୋର୍ଦ୍ଧା ଓଳସିଂହ ଗାଁର ଦୁଇ ମହିଳାଙ୍କ ନିଆରା ଉଦ୍ୟମ: ନିଜସ୍ୱ ଉଦ୍ୟମରେ ଚାଷ କରି କରୁଛନ୍ତି ପରିବାର ପ୍ରତିପୋଷଣ

111

କନକ ବ୍ୟୁରୋ: ଭଳିକି ଭଳି ପନିପରିବା ଫସଲରେ ହସୁଛି କ୍ଷେତ । ବାଇଗଣ, କଲରା, ଝୁଡଙ୍ଗ, ମୂଳା, କାକୁଡ଼ି, କୋଶଳା ଶାଗ, ଗେଣ୍ଡୁଫୁଲ ଚାଷ କରିଛନ୍ତି ମହିଳା ଚାଷୀ । ଖୋର୍ଦ୍ଧା ଓଳସିଂହ ଗାଁର ଦୁଇଜଣ ମହିଳା ସୀତା ବଳିଆରସିଂ ଏବଂ ସୁଷମା ବଳିଆରସିଂଙ୍କ ଦ୍ୱାରା ହୋଇଥିବା ଚାଷର ଏ ହେଉଛି ବାସ୍ତବ ଚିତ୍ର । ରୋଜଗାର କରିବା ପାଇଁ ଏହି ଦୁଇଜଣ ମହିଳା ଆଉ ଅନ୍ୟମାନଙ୍କ ଉପରେ ନିର୍ଭର କରୁନାହନ୍ତି । ନିଜେ ନିଜସ୍ୱ ଉଦ୍ୟମରେ କରଛନ୍ତି ଚାଷ । ଉତ୍ପାଦିତ ପରିବା ନିଜ ପରିବାରର ଆବଶ୍ୟକତା ପୁରଣ କରୁଥିବା ବେଳେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

ପରିବା ଚାଷରେ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ଗଛରେ ପାଣି ମଡାଇବା ଠାରୁ ଆରମ୍ଭ କରି ଘାସ ବାଛିବା, କୀଟନାସକ ଔଷଧ ପକାଇବା ଭଳି କାମ କରନ୍ତି ମହିଳା । ଦିନେ ଏହି ଜମି ପଡ଼ିଆ ପଡିଥିଲା । ଏବେ ସେହି ଜମିରେ ହସୁଛି ନାନା ଜାତିର ଫସଲ । ସ୍ୱୟଂ ସହାୟକ ଗୋଷ୍ଠୀରୁ ରୁଣ ଆଣି ଏହି ଫସଲରେ ଖର୍ଚ୍ଚ କରିଥିଲେ । ଏବେ ରୋଜଗାର ହେଉଥିବା ପଇସାରେ ପରିବାର ଖୁସିରେ ଚଳୁଛି ।

ଚାଷ କାମରେ କ୍ଷତି ଥିଲେ ବି ସେସବୁକୁ ଖାତିର ନକରି କଠିନ ପରିଶ୍ରମ କରି ବାଡ଼ିରେ ଫଳାଇଛନ୍ତି ସୁନା ଫସଲ । ଦୁଇଜଣ ମହିଳାଙ୍କ ଦୃଢ ଇଛା ଶକ୍ତି ଓ ସାହସ ତାଙ୍କୁ ରୋଜଗାରକ୍ଷମ କରିପାରିଛି ।