କପା ଓ ଧାନ ଚାଷ କରୁଥିବା ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯୁବ ଚାଷୀ କେ.ଶିବା: ୩ ଏକର ଜମିରେ ଲଗାଇଛନ୍ତି ଗେଣ୍ଡୁ ଓ ସେବତି ଫୁଲ

503

କନକ ବ୍ୟୁରୋ: ଶୀତଋତୁ ଆସିଛି…ଆଉ ବଗିଚାରେ ଫୁଲ ହସୁଛି । ନାଲି ହଳଦିଆ ଗେଣ୍ଡୁ, ସେବତୀ ଆଦି ନାନା ପ୍ରକାରର ଫୁଲରେ ସଜେଇ ହୋଇଛି ଧରଣୀ ରାଣୀ । ପବନର ସ୍ପର୍ଶରେ ଫୁଲେଇ ହୋଇ ଝୁଲୁଛି ଫୁଲ । କେବେ ହସୁଛି କେବେ ଲାଜେଇଲା ଭଳି ନଇଁ ପଡ଼ୁଛି । ତେବେ ଏହି ଫୁଲ ଚାଷ ପାଲଟିଛି ଅନେକଙ୍କ ରୋଜଗାରର ମାଧ୍ୟମ । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ୧୭ ନମ୍ବର ୱାର୍ଡ କତୁରୁ ଗାଁର ଯୁବ ଚାଷୀ କେ. ଶିବା ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ପୂର୍ବରୁ ଚାଷୀ ଜଣକ ପନି ପରିବା ସହ ଅନ୍ୟାନ୍ୟ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଏହି ଚାଷରେ କ୍ଷତି ସହିବାକୁ ପଡିବାରୁ ଫୁଲ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ କେ ଶିବା । କେ ଶିବା ନିଜର ୩ ଏକରରୁ ଉର୍ଦ୍ଧ ଜମିରେ ଜୈବିକ ପଦ୍ଧତିରେ ସେବତୀ ଓ ଗେଣ୍ଡୁ ଫୁଲ ଚାଷ କରି ନିଜର ଆର୍ôଥକ ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇପାରିଛନ୍ତି । କେ ଶିବା ଏହି ଫୁଲ ଚାଷ ପାଇଁ ପ୍ରତି ଏକର ପିଛା ୪୦ ହଜାରରୁ ଉର୍ଦ୍ଧ ଟଙ୍କା ବିନିଯୋଗ କରିଥିବା ବେଳେ ଗେଣ୍ଡୁ ଫୁଲ କିଲୋ ପିଛା ୧୨୦ ଟଙ୍କା ଓ ସେବତୀ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ଲାଭ ପାଉଥିବା କହିଛନ୍ତି ।

ଦୈନିକ ୬୦ କିଲୋରୁ ଉଦ୍ଧ୍ୱର୍ ଫୁଲ ବିକ୍ରି କରି ନିଜର ଆର୍ôଥକ ସ୍ଥିତି ସୁଧାରି ପାରିଛନ୍ତି ଯୁବ ଚାଷୀ । ପୂର୍ବରୁ ଗୁଣୁପୁର ଅଂଚଳରେ ଫୁଲ ଚାଷ ହେଉନଥିବାରୁ ଏଠାକାର ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଫୁଲ ଉପରେ ନିର୍ଭର କରୁଥିଲେ । କିନ୍ତୁ ଯୁବଚାଷୀ ଶିବା ଫୁଲ ଚାଷ କରିବା ପରେ ଗୁଣୁପୁର ଅଂଚଳବାସୀଙ୍କୁ ଆଉ ଆନ୍ଧ୍ରପ୍ରଦେଶର ଉପରେ ନିର୍ଭର କରିବାକୁ ପଡୁନାହିଁ । ବ୍ୟବସାୟୀମାନେ ଏହି ଯୁବ ଚାଷୀଙ୍କଠାରୁ ଫୁଲ ନେଇ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଉତ୍ପାଦିତ ଫୁଲକୁ ଚାଷୀ ଜଣକ ବଜାରୀକରଣ ପାଇଁ ନିକଟସ୍ଥ ବଜାର ଗୁଣୁପୁର ସମେତ ଆନ୍ଧ୍ର ପ୍ରଦେଶ, ପାରଳାଖେମୁଣ୍ଡି ଓ ରାୟଗଡା ସହରକୁ ଯୋଗାଉଛନ୍ତି । ଆଉ ଏହି ଯୁବ ଚାଷୀକୁ ପ୍ରୋତ୍ସାହନର ହାତ ବଢାଇଛି ଗୁଣୁପୁର ସ୍ଥିତ ଉଦ୍ୟାନ ବିଭାଗ । ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଥିବା ଯୁବଚାଷୀ କେ ଶିବା ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।