ମଦ ପାଇଁ ଫାଇଭ-ଟି ସ୍କୁଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ୨ ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ

230

କନକ ବ୍ୟୁରୋ : ଦୁଇ ବୋତଲ ମଦ ପାଇଁ ଫାଇଭ-ଟି ସ୍କୁଲରେ କଳାକନା ବୁଲାଇଲେ ଦୁର୍ବୃତ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଲାଭଟା ଗାଁରୁ ଏଭଳି ଅଭିଯୋଗ ଆସିଛି । ସେପ୍ଟେମ୍ବର ୧-ତାରିଖ ବିଳମ୍ବିତ ରାତିରେ ଫାଇବ-ଟି ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି ।

ସ୍କୁଲରୁ ଫ୍ରିଜ୍, ଲାଇଟ୍ ଆଦି ସାମଗ୍ରୀ ଦୁର୍ବୃତ୍ତମାନେ ଲୁଟ କରୁଥିବା ଦୃଶ୍ୟ ସିସିଟିଭି କ୍ୟାମରାରେ କଏଦ ହୋଇଛି । ସକାଳେ ଗ୍ରାମବାସୀ ସ୍କୁଲରୁ ଚୋରି ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସିସିଟିଭି କ୍ୟାମେରାରେ ଲୁଟ ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ଚୋରକୁ ଚିହ୍ନଟ କରି କାବୁ କରିଥିଲେ । ଚୋରିଙ୍କୁ ଗ୍ରାମବାସୀ ପଚରାଉଚରା କରିବା ପରେ ସେମାନେ ମଦ ପାଇଁ ଚୋରି କରିଥିବା ମାନିଥିଲେ ।

ଅଲାଭଟା ଗ୍ରାମର ଜୟ ନାମକ ଜଣେ ବ୍ୟକ୍ତି ଦୁଇ ବୋତଲ ମଦ ଓ ଟଙ୍କା ୫୦୦ ଦେଇ ଚୋରି କରିବାକୁ ପଠାଇଥିବା ୨ ଅଭିଯୁକ୍ତ ପ୍ରକାଶ କରିଛନ୍ତି । କେବଳ ଦୁଇ ବୋତଲ ମଦ ଓ ଟଙ୍କା ୫ଶହ ପାଇଁ ଫାଇବ-ଟି ସ୍କୁଲରୁ ଚୋରି କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପହଞ୍ଚିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ ।