ବ୍ରେଡ୍ ବିକି ଆଇଫୋନ୍ କିଣିଲେ ୧୨ବର୍ଷର ଝିଅ । ଅନ୍ୟଙ୍କ ପାଇଁ ପାଲଟିଲେ ଉଦାହରଣ

181

କନକ ବ୍ୟୁରୋ : ସମସ୍ତଙ୍କର କିଛି ନା କିଛି ସଉକ୍ ଥାଏ । କିଏ ଗାଡି କିଣିବାରେ ସଉକ୍ ରଖିଥାନ୍ତି ତ ଆଉ କିଏ ମୋବାଇଲ୍ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତି ସଉକ୍ ରଖିଥାନ୍ତି । ଆଉ ସଉକକୁ ପୂରା କରିବା ପାଇଁ ରୋଜଗାରରୁ କିଛି କିଛି ଟଙ୍କା ସଞ୍ଚୟ କରିଥାନ୍ତି । ଠିକ୍ ସେହିଭଳି ଏକ ଉଦାହରଣ ପାଲଟିଛନ୍ତି ଦୁବାଇରେ ରହୁଥିବା ଜଣେ ଭାରତୀୟ ନାଗାରିକଙ୍କ କୁନି ଝିଅ ବିୟାଙ୍କା…
ଦୁବାଇରେ ରହୁଥିବା ୧୨ବର୍ଷର କୁନି ଝିଅ ବିୟାଙ୍କା ନିଜର ସ୍ୱପ୍ନକୁ ପୂରା କରିବା ପାଇଁ ଏପରି କିଛି କରି ଦେଖାଇଛନ୍ତି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସପ୍ତମ କ୍ଲାସରେ ପାଠ ପଢୁଥିବା ବିୟାଙ୍କା ଜେମି ନିଜ ହାତ ତିଆରି ବ୍ରେଡ୍ ବିକ୍ରି କରି କିଣିଛନ୍ତି ଆଇଫୋନ୍-୧୪ । ସ୍କୁଲରେ ସେ ପାଠ ପଢିବା ସହ ନିଜ ହାତ ତିଆରି ବ୍ରେଡ୍ ସ୍କୁଲରେ ବିକ୍ରି କରି ମାତ୍ର ୬ସପ୍ତାହ ମଧ୍ୟରେ ରୋଜଗାର କରିଛନ୍ତି ୬୭ହଜାର ୩୬୨ଟଙ୍କା । ଆଉ ସେହି ଟଙ୍କାରେ ନିଜ ପାଇଁ କିଣିଛନ୍ତି ଆଇଫୋନ୍-୧୪ ।
ବିୟାଙ୍କାଙ୍କୁ ଆଇଫୋନ୍ ବହୁତ ପସନ୍ଦ । ତେଣୁ ସେ ଚାହୁଁଥିରେ ସେ ଏଭଳି ଏକ ଫୋନ୍ କିଣିବା ପାଇଁ । କିନ୍ତୁ ବିୟାଙ୍କାଙ୍କ ବାପା ମାଆଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସେ ଆଇଫୋନ୍ କିଣିପାରିନଥିଲେ । ଦିନେ ବିୟାଙ୍କା ସ୍କୁଲ ଗଲାବେଳେ ତାଙ୍କ ମାଆ ଟିଫିନରେ ନିଜ ହାତ ତିଆରି ବ୍ରେଡ୍ ଦେଇଥିଲେ । ଯାହା ସ୍କୁଲରେ ବିୟାଙ୍କାଙ୍କ ସାଙ୍ଗମାନଙ୍କୁ ବେସ୍ ପସନ୍ଦ ଆସିଥିଲା । ବ୍ରେଡର ସ୍ୱାଦ ଏତେ ପସନ୍ଦ ଆସିଥିଲା କି, ପୁଣି ଆଗ ଦିନ ଏପରି କିଛି ଖାଇବା ଆଣିବା ପାଇଁ ବିୟାଙ୍କାଙ୍କୁ କହିଥିଲେ ସାଙ୍ଗମାନେ । ଏହାକୁ ଦେଖି ବିୟାଙ୍କାଙ୍କ ମୁଣ୍ଡରେ ଏକ ଆଇଡିୟା ଆସିଥିଲା । ସେ ନିଜ ହାତରେ ବ୍ରେଡ୍ ବନାଇ ସ୍କୁଲରେ ବିକ୍ରି କରିବାକୁ ଚିନ୍ତା କଲେ ।
ବିୟାଙ୍କାଙ୍କ ମାଆ-ବାପା ଉଭୟ ୫ତାରକା ହୋଟେଲରେ ବ୍ରେଡ୍ ବନାନ୍ତି । ବିୟଙ୍କା ମଧ୍ୟ ବାପା-ମାଆଙ୍କଠୁ ଭଲ ବ୍ରେଡ୍ ବନାଇବା ଶିଖିଥିଲେ । ତେଣୁ ବିୟାଙ୍କା ଯେତେବେଳେ ମାଆ-ବାପାଙ୍କୁ ତାଙ୍କ ଆଇଡିଆ ବାବଦରେ କହିଥିଲେ ସେତେବେଳେ ଉଭୟ ଝିଅର କଥା ଶୁଣି ବେସ୍ ଖୁସି ହୋଇଥିଲେ । ଆଉ ଝିଅକୁ ବ୍ରେଡ୍ ତିଆରି କରିବା ପାଇଁ ୨୨୪୫ଟଙ୍କା ଦେଇଥିଲେ । ଏବଂ କହିଥିଲେ ଏହି ପଇସାକୁ ନେଇ ସେ ତାଙ୍କର କାମ ଆରମ୍ଭ କରନ୍ତୁ । ଅନ୍ୟପଟେ ମାଆ ବିୟାଙ୍କାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ରେଡ୍ ବନାଇବା ସିଖାଇଥିଲେ ।
ପ୍ରଥମ ଦିନ ସ୍କୁଲରେ ବିୟାଙ୍କାଙ୍କୁ ନିରାଶ ହେବାକୁ ପଡିଥିଲା । ପ୍ରଥମ ଦିନରେ ମାତ୍ର ୨ଟି ବ୍ରେଡ୍ ବିକ୍ରି କରିବାରେ ସକ୍ଷମ ହୋଇଥିଲେ ବିୟାଙ୍କା । ତଥାବି ହାର ମାନିନଥିଲେ । ସ୍କୁଲରେ ବ୍ରେଡ୍ ବିକ୍ରି କରିବା ଜାରି ରଖିଥିଲେ । ଦେଖୁ ଦେଖୁ ବିୟାଙ୍କାଙ୍କ ହାତ ତିଆରି ବ୍ରେଡ୍ ସମସ୍ତଙ୍କୁ ପସନ୍ଦ ଆସିବାରେ ଲାଗିଲା । ଆଉ ପ୍ରତିଦିନ ୬୦ରୁ ୭୦ ବ୍ରେଡ୍ ପାଇଁ ଆର୍ଡର ମଧ୍ୟ ମିଳିଲା । ଆଉ ମାତ୍ର ୬ମାସ ମଧ୍ୟରେ ପାଖାପାଖି ୭୦ହଜାର ଟଙ୍କା ରୋଜଗାର କରିଥିଲେ । ବିୟାଙ୍କା ୨୨୪ଟଙ୍କାରେ ୪ଟି ବ୍ରେଡ୍ ବିକ୍ରି କରୁଥିଲେ ।
ତେବେ ବିୟାଙ୍କା କୁହନ୍ତି, ନିଜର ପାଠପଢା ସହ ବ୍ରେଡ୍ ବନାଇ ସ୍କୁଲରେ ବିକ୍ରି କରିବା ସହଜ ନଥିଲା । ସ୍କୁଲରେ ଅନେକ ପିଲା ତାଙ୍କର ମଜାକ୍ ଉଡାଉଥିଲେ । ଘରର ଆର୍ଥିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ କିନ୍ତୁ ବିୟାଙ୍କା ଏସବୁକୁ ଅଣଦେଖା କରି ଆଗକୁ ବଢିଥିଲେ । ଆଉ ଆଜି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିବା ସହ ମାଆ ବାପାଙ୍କ ପାଇଁ ଗର୍ବ ପାଲଟିଛନ୍ତି ବିୟାଙ୍କା ।