ବିସ୍ଫୋରଣରେ ଥରିଲା ମଧ୍ୟପ୍ରଦେଶର ହରଦା । ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୧୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ

74

କନକ ବ୍ୟୁରୋ : ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଂଚିଛି । ହରଦା ଜିଲ୍ଲାର ବେରାଗଡ଼ ଅଂଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି । କାରଖାନା ଭିତରେ ଅନେକ ଲୋକ ଫସିଥିବାର ସନ୍ଦେହ କରାଯାଉଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ବାଣ କାରଖାନାର ଆଖପାଖରେ ଥିବା ପ୍ରାୟ ୬୦ଟି ଘର ପ୍ରଭାବିତ ହୋଇଛି । ନିକଟରେ ଥିବା ପ୍ରାୟ ଶହେଟି ଘରକୁ ଖାଲି କରିଛି ପ୍ରଶାସନ । ବାଣ କାରଖାନା ଭିତରେ ଲଗାତର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିିଳିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏନଡିଆରଏଫ ଓ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି । ସେପଟେ ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ଆକାଶମାର୍ଗରୁ ସ୍ପଷ୍ଟ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦୁର୍ଘଟଣାର ଚିତ୍ର ଆକାଶମାର୍ଗରୁ ବୁଲି ଦେଖିଛନ୍ତି ମଧ୍ୟପ୍ରଦେଶ ମନ୍ତ୍ରୀ ଉଦୟ ପ୍ରତାପ ସିଂହ । ବିସ୍ଫୋରଣରେ ଆଖପାଖରେ ଥିବା ସବୁ ଆସବାବ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ମୃତକଙ୍କ ପାଇଁ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାର ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।