ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍ ! ଏବେ ରାଷ୍ଟପତିଙ୍କ ଅନୁମୋଦନକୁ ଅପେକ୍ଷା

51

କନକ ବ୍ୟୁରୋ : ସଂରକ୍ଷଣ ବ୍ୟବସ୍ଥାରେ ସବର୍ଣ୍ଣଙ୍କୁ ସ୍ଥାନ ମିଳିବା ନେଇ ବାଟ ଫିଟିଲା । ରାଜ୍ୟସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍ । ବିଲ୍ ସପକ୍ଷରେ ୧୭୨ ଜଣ ସାଂସଦଙ୍କ ମଧ୍ୟରୁ ୧୬୫ ଜଣ ସାଂସଦ ଭୋଟ ଦେଇଥିବା ବେଳେ ମାତ୍ର ୭ ଜଣ ଏହାକୁ ବିରୋଧ କରିଥିଲେ । ଫଳରେ ସମ୍ବିଧାନ ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ ହୋଇଛି । ମଙ୍ଗଳବାର ଲୋକସଭାରେ ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ବିଲ୍ ପାସ ହୋଇଥିଲା । ସଂସଦର ଦୁଇଟି ଯାକ ସଦନରେ ପାସ ହେବା ପରେ ଏହି ବିଲ୍ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ।

ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ୧୨୪ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୧୯କୁ ରାଜ୍ୟସଭାରେ ଆଗତ କରିଥିଲେ ସାମାଜିକ ନ୍ୟାୟ ମନ୍ତ୍ରୀ ଥାବର ଚନ୍ଦ ଗେହଲଟ୍ । ଗରିବ ସବର୍ଣ୍ଣଙ୍କୁ ଚାକିରି ଓ ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ କ୍ୟାବିନେଟ୍ ମଂଜୁରି ଦେବା ପରେ ଶୀତକାଳୀନ ଅଧିବେଶନରେ ଶେଷ ଦିନରେ ଏହି ବିଲ୍ ଆଣିଥିଲେ ମୋଦୀ ସରକାର ।

ମଙ୍ଗଳବାର ଲୋକସଭାରେ ପାସ୍ ହେବା ପରେ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରି ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ଆଗତ ହୋଇଥିଲା । ଗତକାଲି ଦିନ ତମାମ ଏ ନେଇ ରାଜ୍ୟସଭାରେ ଘମାଘୋଟ ବିତର୍କ ହୋଇଥିଲା । ବିଲ୍କୁ ସିଲେକ୍ସନ କମିଟିକୁ ପଠାଇବା ପାଇଁ ବିରୋଧୀ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପ୍ରସ୍ତାବ ବିପକ୍ଷରେ ୧୫୫ ଓ ସପକ୍ଷରେ ମାତ୍ର ୧୮ ସାଂସଦ ଭୋଟ ଦେବା ପରେ ଏହା ଖାରଜ ହୋଇଯାଇଥିଲା । ଏହା ପରେ ଆସିଥିଲା ଐତିହାସିକ ମୁହୂର୍ତ । ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ପାସ୍ ହୋଇଥିଲା ରାଜ୍ୟସଭାରେ ।

ଆସନ୍ତୁ ଜାଣିବା କେଉଁମାନେ ସଂରକ୍ଷଣ ପାଇବେ?
– ଯେଉଁମାନଙ୍କ ରୋଜଗାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ
– ୫ ଏକର ଜମିରୁ କମ୍ ଚାଷ ଜମି ଥିବ
– ୧୦୦୦ ବର୍ଗଫୁଟରୁ କମ୍ ଆବାସିକ ଗୃହ ଥିବ
– ବିଜ୍ଞାପିତ ଅଂଚଳରେ ୧୦୦ ୟାର୍ଡରୁ କମ୍ ଘରବାଡ଼ି ପ୍ଲଟ
– ଅଣ-ବିଜ୍ଞାପିତ ଅଂଚଳରେ ୨୦୦ ୟାର୍ଡରୁ କମ୍ ଆବାସିକ ଜମି ରହିଥିବା ଜରୁରୀ