ଚର୍ଚ୍ଚାରେ କ୍ୟାପଟେନ୍ କୋହଲିଙ୍କ ଓଡ଼ିଆ ଫ୍ୟାନ୍ । ମ୍ୟାଚ୍ ପୂର୍ବରୁ ଭିଡ ଭିତରେ ଓଡ଼ିଆ ପୁଅଙ୍କୁ କୁଣ୍ଢାଇ ପକାଇଲେ କୋହଲି, ପିଣ୍ଟୁଙ୍କ ଦେହରେ ନିଜର ସଫଳତାର ସ୍ମୃତି ଦେଖି ତାଜୁବ ହୋଇଗଲେ ବିରାଟ ।

5,435

କନକ ବ୍ୟୁରୋ : କ୍ୟାପଟେନ୍ କୋହଲିଙ୍କ ଚର୍ଚ୍ଚିତ ଓଡ଼ିଆ ଫ୍ୟାନ୍ । ଯାହାଙ୍କୁ ଦେଖି କୁଣ୍ଢାଇ ପକାଇଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ । ବିରାଟ କୋହଲିଙ୍କର କୋଟି କୋଟି ପ୍ରଂଶସକ ଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ପିଣ୍ଟୁ ବେହେରା । ଅନେକ ସମୟରେ ଷ୍ଟାଡିୟମରେ ଆପଣ କୋହଲିଙ୍କର ବଡ ବଡ ପ୍ରଂଶସକଙ୍କୁ ଦେଖିଥିବେ । କୋହଲିଙ୍କ ପ୍ରତି ନିଜର ଭଲପାଇବା ଦର୍ଶାଇବାକୁ କିଏ ନିଜ ଶରୀରରେ କୋହଲିଙ୍କ ଚିତ୍ର ଆଙ୍କି ଷ୍ଟାଡିୟମକୁ ଆସିଥାଏ ତ ପୁଣି କିଏ ବିରାଟଙ୍କ ଲୁକରେ ନିଜକୁ ସଜାଇ ଷ୍ଟାଡିୟମକୁ ଆସିଥାନ୍ତି । କିନ୍ତୁ କୋହଲିଙ୍କର କୋଟି କୋଟି ଫ୍ୟାନଙ୍କ ମଧ୍ୟରୁ ଓଡ଼ିଶାର ପିଣ୍ଟୁ ଟିକିଏ ଅଲଗା । କାରଣ ପିଣ୍ଟୁଙ୍କ ଶରୀରର ଅଧିକାଂଶ ସ୍ଥାନରେ ରହିଛି କୋହଲିଙ୍କ ଟାଟୁ । ଆଉ ଏହି ଟାଟୁ ଦେଖିବା ପରେ ପିଣ୍ଟୁଙ୍କୁ କୁଣ୍ଢାଇ ପକାଇଥିଲେ କୋହଲି ।

ଗଞ୍ଜାମର ପିଣ୍ଟୁ ବେହେରା । କ୍ୟାପଟେନ କୋହଲିଙ୍କ ପାଇଁ ପୂରା ପାଗଳ । ୨୦୧୨ରୁ କୋହଲିଙ୍କୁ ଫଲୋ କରି ଆସୁଛନ୍ତି ପିଣ୍ଟୁ । ଆଇପିଏଲ ହେଉ କି ଭାରତର କୌଣସି ମ୍ୟାଚ୍, କୋହଲି ଖେଳୁଥିବେ ଆଉ ପିଣ୍ଟୁ ଏହାକୁ ଦେଖିନଥିବେ ଏହା କେବେ ସମ୍ଭବ ନୁହେଁ । କୋହଲିଙ୍କୁ ଭଗବାନ ଭଳି ପୂଜା କରୁଥିବା ପିଣ୍ଟୁ ବିରାଟଙ୍କର ଟିକିଏ ଝଲକ ପାଇବା ପାଇଁ ଷ୍ଟାଡିୟମରୁ ଷ୍ଟାଡିୟମ ଘୂରି ବୁଲିଛନ୍ତି । ଆଉ ଷ୍ଟାଡିୟମରେ ହିଁ ପିଣ୍ଟୁଙ୍କ ଉପରେ ବିରାଟଙ୍କର ନଜର ପଡିଥିଲା ।
ଆଉ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତକାଲି ବିରାଟଙ୍କୁ ଭେଟିବାକୁ ସୁଯୋଗ ପାଇଥିଲେ ପିଣ୍ଟୁ । ଦକ୍ଷିଣ-ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଶାଖପାଟଣାରେ ପିଣ୍ଟୁଙ୍କୁ ଭେଟିଥିଲେ ବିରାଟ କୋହଲି । ଆଉ କୋହଲିଙ୍କୁ ଦେଖିବା ମାତ୍ରେ ସାର୍ଟ ଖୋଲି ଟାଟୁ ଦେଖାଇଥିଲେ ପିଣ୍ଟୁ । ଆଉ ପିଣ୍ଟୁଙ୍କ ଶରୀରରେ ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୋହଲି । କାରଣ ପିଣ୍ଟୁଙ୍କ ଶରୀରରେ ନିଜର ସଫଳତା ଓ ସମ୍ମାନର ପ୍ରତିଟି ଝଲକ ଦେଖିବାକୁ ପାଇଥିଲେ ବିରାଟ । ୧୯ ବର୍ଷରୁ କମ ବିଶ୍ୱକପ ବିଜେତା କାହାଣୀ ଠାରୁ ପଦ୍ମଶ୍ରୀ ସମ୍ମାନ ପର୍ଯ୍ୟନ୍ତ ବିରାଟଙ୍କ ପ୍ରତ୍ୟେକ ସଫଳତାର ସ୍ମୃତିକୁ ନିଜ ଶରୀରରେ ଟାଟୁ କରି ସଜାଇଛନ୍ତି । ଏପରିକି ବିରାଟଙ୍କର ଏକ ବଡ ଛବି ନିଜ ଛାତିରେ ଆଙ୍କି ଥିବା ବେଳେ ଜର୍ସି ନମ୍ବର ପିଠିରେ ଆଙ୍କିଛନ୍ତି ପିଣ୍ଟୁ । ଆଉ ସବୁଠୁ ବଡ କଥା ହେଲା, ଏହି ଓଡ଼ିଆ ପୁଅଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଜାଣିଛନ୍ତି କ୍ୟାପଟେନ କୋହଲି ।