କାଲି ଜଗାକୁ ହେବ ଜର ! ୧୦୮ ଗରାରେ ଗାଧୋଇବେ ଶ୍ରୀଜୀଉ । ସ୍ନାନଯାତ୍ରା ପାଇଁ ନୀତି ନିଘଣ୍ଟ ଚୂଡାନ୍ତ, ଏବେଠୁ ଜମିଲାଣି ଭକ୍ତଙ୍କ ଭିଡ଼ ।

59

କନକ ବ୍ୟୁରୋ : ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଚାଲିଛି । ଶୃଙ୍ଖଳିତ ଭାବରେ ନୀତି ପାଳନ ହେବା ସହ ଭକ୍ତଙ୍କ ଦେବଦର୍ଶନ ପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀରେ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମୌସୁମୀ ପ୍ରଭାବରେ ପୁରୀରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବଡଦାଣ୍ଡରେ ଜମିଲାଣି ଭକ୍ତଙ୍କ ଭିଡ ।

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତ ହୋଇ ସାରିଛି ସ୍ନାନ ବେଦୀ । ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ପହଣ୍ଡି ବିଜେଠାରୁ ସକାଳ ଧୂପ ନୀତି ଶେଷ ପର୍ଯ୍ୟନ୍ତ ନୀତି ସଂପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ କାହାରିକୁ ସ୍ନାନବେଦୀ ପାଖକୁ ଛଡାଯିବ ନାହିଁ । ପୂଜାପଣ୍ଡା ଓ ପୁଷ୍ପାଳକମାନେ ପାଣିତୋଳା ପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି । ନୀତିକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ହେଲେ ଏଥି ପ୍ରତି ଭକ୍ତଙ୍କ ଖାତିର ନାହିଁ , ପୁରୀରେ ସେମାନଙ୍କ ଭିଡ ଜମିବାରେ ଲାଗିଲାଣି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ସ୍ନାନବେଦୀ ପାଇଁ ବାରିକେଡ କରାଯାଇଛି । ଏହା ସହ ଟ୍ରାଫିକ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ମୋଟ ୪୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସ୍ନାନ ଯାତ୍ରା ଅବସରରେ ଶ୍ରୀଜୀଉ ୧୦୮ ଗରା ପାଣିରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେବେ । ଏହାକୁ ଦେଖିଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ଭକ୍ତଙ୍କର ବିଶ୍ୱାସ ରହିଛି ।