ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା -୨୦୧୮ ନାମକ ଏକ ପ୍ରୟାସ ଆରମ୍ଭ କରିଛି । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର, ଯେଉଁମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାକୁ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଡାକ ଟିକଟ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗିତା ହେବ । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରତିଯୋଗୀମାନଙ୍କୁ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିବାକୁ ପଡ଼ିବ ।

ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ । ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୧୮ ଅଗଷ୍ଟ ୧୬ ରଖାଯାଇଛି । ପ୍ରତିଯୋଗୀମାନେ ସୂଚନା ପାଇଁ ମୁଖ୍ୟ ଡାକ ମହାପ୍ରବନ୍ଧକ, ଭୁବନେଶ୍ୱର, ଡାକ ମହାପ୍ରବନ୍ଧକ ସମ୍ବଲପୁର ଓ ବ୍ରହ୍ମପୁର ଏବଂ ନିକଟସ୍ଥ ଡାକ ବିଭାଗର ଅଧୀକ୍ଷକ ଓ ବରିଷ୍ଠ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ । ପ୍ରତିଯୋଗିତା ସମ୍ପର୍କିତ ବିସ୍ତୃତ ତଥ୍ୟ ଡାକ ବିଭାଗର ୱେବସାଇଟ୍ odishapost.gov.inରେ ଉପଲବ୍ଧ କରାଯାଇଛି ।