ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି କ୍ଷେତ୍ରରେ ଭିନ୍ନ ଭିନ୍ନ କଳା ଓ ବୃତ୍ତି ଦେଖିବାକୁ ମିଳିଥାଏ । ଯାହା ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ଥାଏ । ଏହି ପରିବର୍ତ୍ତନଶୀଳ ଯୁଗରେ ଐତିହାସିକ କଳାକୁ ଜୀବିତ ରଖିବା ବହୁତ କଷ୍ଟର କଥା ହୋଇଥାଏ । ହେଲେ ଏମିତି କଷ୍ଟକୁ ସ୍ୱୀକାର କରି ସଫଳତା ପାଇଛନ୍ତି ଜଣେ ମହିଳା । ଯିଏ ଆଜି ନିଜ ପାଇଁ ପାଲଟିଯାଇଛନ୍ତି ଜଣେ ଅପରାଜିତା । ‘ୟୋର ଷ୍ଟୋରୀରେ’ ପ୍ରକାଶିତ ହୋଇଛି ଏହି ଜୀବନ କାହାଣୀ ଖବର ।

ପ୍ରକାଶିତ ସୂଚନା ଅନୁସାରେ , ଗୁଜୁରାଟ ସ୍ଥିତ କଚ୍ଛର ଭଦରୋଇ ଗାଁରେ ରୁହନ୍ତି ପବିବେନ ରବାରୀ ନାମକ ମହିଳା । ଯିଏ ଆଜି ନିଜେ ହିଁ ନିଜ ପାଇଁ ପାଲଟି ଯାଇଛନ୍ତି ପରିଚୟ । ପବିବେନ ରବାରୀ ଜଣେ ଏମିତି ଆତ୍ମନିର୍ଭରଶୀଳ ଓ ବୁଦ୍ଧିମାନ ମହିଳା ଅଟନ୍ତି , ଯିଏ ଆଜିକା ସମୟରେ ଜଣେ ଆଦର୍ଶ ପାଲଟିଯାଇଛନ୍ତିି । ଯଦି ତାଙ୍କର ଜୀବନର ପ୍ରତିଟି ଫର୍ଦ୍ଦକୁ ଦେଖିବା ତ ଜଣାପଡିବ ସଫଳତା ଓ ଦକ୍ଷତା ପଇସା ଦ୍ୱାରା ନୁହେଁ ତାହା କଠୋର ପରିଶ୍ରମ ଓ ଦୃଢ ନିଷ୍ଠାରେ ସାକାର ହୋଇଥାଏ । ପବିବେନ ନିଜ ଜୀବନରେ ଆସିଥିବା ଅନେକ ସମସ୍ୟାକୁ ସାମ୍ନା କରି ସଫଳତାର ଶୀର୍ଷରେ ପହଁଛିଛନ୍ତି । ଆଉ ଏହା ସହ ଆହୁରି ଅନେକ ମହିଳାଙ୍କୁ ମଧ୍ୟ ଅର୍ଥ ରୋଜଗାର କରିବାକୁ ସକ୍ଷମ କରିଛନ୍ତି , ଯେଉଁ ମହିଳା ମାନେ ଘରେ ରହି କେବଳ ଚୁଲି ଜାଳୁଥିଲେ ।

ପବିବେନଙ୍କ ଜୀବନ କାହାଣୀ ଥିଲା ଏମିତି । ପିତାର ସ୍ନେହ କଣ ଜାଣିନଥିବା ପବିବେନ ୫ବର୍ଷ ବୟସରେ ନିଜର ପିତାକୁ ହରେଇଥିଲେ । ନିଜର ୩ ଭଉଣୀଙ୍କ ମଧ୍ୟରେ ସମସ୍ତଙ୍କ ଠାରୁ ସେ ବଡ । ଘରର ଖରାପ ପରିସ୍ଥିତି ଯୋଗୁଁ ତାଙ୍କୁ ପିଲା ବୟସରୁ ଅର୍ଥ ରୋଜଗାର କରିବାକୁ ପଡିଥିଲା । ଯେତେବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା , ସେହି ସମୟରେ ତାଙ୍କ ମାଁ ଗର୍ଭବତୀ ଥିଲେ । ଏହି ସମୟରେ ପରିବାର ଚଳେଇବା ପାଇଁ ସେ ଘର ଘର ବୁଲି କାମ କରୁଥିଲେ । ଏହା ସହ ମାଁଙ୍କ ସହ ପବିବେନ ଲୋକଙ୍କ ଘରେ ପାଣି ଭରିବା କାମ କରୁଥିଲେ । ପବିବେନ ସେହି ଦିନକୁ ମନେପକାଇ କୁହନ୍ତି ଘରର ଆର୍ଥିକ ସ୍ଥିତି ଖୁବ୍ ଦୁର୍ବଳ ହୋଇଯିବାରୁ ସେ ୪ର୍ଥ ଶ୍ରେଣୀରୁ ପାଠପଢା ଛାଡିଦେଲେ । ଏବଂ ୧୦ ବର୍ଷ ବୟସରେ ହିଁ ନିଜ ମାଁ ଙ୍କ ସହ କାମକୁ ଗଲେ । ଲୋକଙ୍କ ଘରେ ପାଣି ପୁରାଇବା କାମ କଲେ । ବଦଳରେ ତାଙ୍କୁ ମାତ୍ର ୧ଟଙ୍କା ମିଳୁଥିଲା ।

ଆଦିବାସୀ ସଂପ୍ରଦାୟ ଡେବରିୟା ରବାରୀରେ ଜନ୍ମ ପବିବେନ ନିଜର ମାଁଙ୍କ ସାହାଯ୍ୟରେ ପାରମ୍ପରିକ ଏମ୍ବ୍ରୋଏଡୋରୀ–ସିଲାଇ ଶିଖିଥିଲେ । ଏହି ସଂପ୍ରଦାୟରେ ଏହି ପ୍ରଥା ଅଛି ଯେ ଝିଅମାନେ ବିବାହ ପରେ ଯୌତୁକରେ ନିଜର ହାତରେ ତିଆରି ସିଲାଇ ଓ ଏମ୍ବ୍ରୋଏଡୋରୀ କରିଥିବା କପଡାକୁ ଶ୍ୱଶୁର ଘର ସାଥିରେ ନେବ । ତାଙ୍କୁ ଏକ କପଡା ପ୍ରସ୍ତୁତ କରିବାରେ ପାଖାପାଖି ୧ରୁ ୨ ମାସ ଲାଗିଯାଏ । ଯେଉଁଥି ପାଇଁ ସେମାନଙ୍କୁ ବହୁତ ସମୟ ନିଜର ମାଁ-ବାପାଙ୍କ ଘରେ ରହି ନିଜର ଯୌତୁକ ପାଇଁ ପ୍ରସ୍ତୁତ କତରିିବାକୁ ହୋଇଥାଏ । ଏହି ସମସ୍ୟାକୁ ଦେଖି ଏହି ସଂପ୍ରଦାୟର ବୟସ୍କଲୋକେ ଏହି ନିୟମକୁ ଭାଂଗିବାକୁ ନିଷ୍ପତ୍ତି ନେଲେ ।

ପବିବେନ ୧୯୯୮ରେ ଏକ ସଂସ୍ଥାରେ ଯୋଗ ଦେଲେ । ଯାହା ଏକ ଏନଜିଓ ଦ୍ୱାରା ଚାଲୁଥିଲା । ତାଙ୍କର ଇଚ୍ଛା ଥିଲା ତାଙ୍କର ଏହି ସିଲାଇ କଳା ଯେମିତି ଲୁପ୍ତ ନହେଉ । ଏବଂ ରବାରୀ ସଂପ୍ରଦାୟର ନିୟମ ମଧ୍ୟ ବଜାୟ ରହୁ । ଏଥିପାଇଁ ପବିବେନ ଏହାକୁ ଏକ ପେଶା କରିଦେଲେ । ନିଜର ଏମ୍ବ୍ରୋଏଡୋରୀ –ସିଲାଇ କଳାକୁ ଅନ୍ୟ ମାନଙ୍କ ପାଖରେ ପହଁଚାଇ ଏହାକୁ ବିକଶିତ କରିବାକୁ ନିଷ୍ପତ୍ତି ନେଲେ । ସେ ଟ୍ରିମ ଓ ରିବନ ପରି କପଡା ଉପରେ କରାଯାଉଥିବା ଏମ୍ବ୍ରୋଏଡୋରୀ ପାଇଁ ଏକ ମେସିନ ଆପ୍ଲିକେଶନର ଆରମ୍ଭ କଲେ । ଏବଂ ଏହାର ନାମ ‘ହରି-ଜରି’ ରଖିଲେ । ଅନେକ ସମୟ ସମୟ ସେ ଏହା ଉପରେ କାମ କଲେ । ରେଜେଇ , ତକିଆ କଭର ଓ କପଡାରେ ଭିନ୍ନ ଭିନ୍ନ ପ୍ରକାର କାମ ଶିଖିଲେ । ଏଥିରୁ ମାସକୁ ୩ଶହ ଟଙ୍କା ଦରମା ଦରମା ଆକାରରେ ମିଳୁଥିଲା ।

୧୮ ବର୍ଷ ବୟସରେ ପବିବେନଙ୍କ ବିବାହ ହୋଇଥିଲା । ଏବଂ ଏହାପରେ ତାଙ୍କ ଜୀବନରେ ଆସିଲା ନୂଆ ମୋଡ । କିଛି ବିଦେଶି ଲୋକ ତାଙ୍କ ବିବାହରେ ଯୋଗ ଦେଇଥିଲେ । ତାଙ୍କ ଦ୍ୱାରା ତିଆରି ହୋଇଥିବା ଏମ୍ବ୍ରୋଏଡୋରୀ ବ୍ୟାଗ୍ ସେହି ବିଦେଶୀ ମାନଙ୍କୁ ଉପହାର ଆକାରରେ ଦେଇଥିଲେ । ବିଦେଶୀମାନେ ଏହାକୁ ପାବିବ୍ୟାଗ୍ ନାମରେ ପ୍ରସିଦ୍ଧ କରିଦେଲେ । ଯାହାକୁ ସେମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଁଚାଇବାରେ ସାହାଯ୍ୟ କରିଥିଲେ । ବିବାହ ପରେ ପବିବେନଙ୍କ ସ୍ୱାମୀ ମଧ୍ୟ ତାଙ୍କର ସହଯୋଗ କଲେ । ଏବଂ ତାଙ୍କର କଳାକୁ ଆଗକୁ ବଢାଇବାରେ ପୁର୍ଣ୍ଣ ରୂପରେ ସାହାଯ୍ୟ କଲେ । କିଛି ବର୍ଷ ପରେ ସେ ନିଜର କଳାକୁ ଆହୁରି ଟିକେ ପରିଚିତ କରାଇବା ପାଇଁ ପ୍ରଦର୍ଶନୀରେ ଭାଗ ନେବାକୁ ଆରମ୍ଭ କଲେ ।

ଗାଁର ମହିଳାଙ୍କ ସହ ମିଶି ପବିବେନ ନିଜର କାମକୁ ଆହୁରି ବଢାଇବାକୁ ମନକୁ ଦୃଢ କଲେ । ଏବଂ ପବିବେନ ଡଟ୍ କମ୍ ତିଆରି କଲେ । ତାଙ୍କର ଟିମ୍ କୁ ଅହମ୍ମଦାବାଦ ରୁ ପାଖାପାଖି ୭୦ ହଜାର ଟଙ୍କାର ପ୍ରତମ ଅର୍ଡର ମିଳିଲା । ଯାହାକୁ ପୁରା ଟିମ୍ ମିଶି ସଠିକ ସମୟରେ ଶେଷ କରିଦେଲେ । ଗୁଜୁରାଟ ସରକାର ମଧ୍ୟ ସେମାନଙ୍କ କାମକୁ ପ୍ରଶଂସା କରି ଧନ୍ୟବାଦ ଦେଲେ ଓ ମନୋବଳ ବଢାଇଲେ ।

ପ୍ରତିଦିନ ନୂଆ ଡିଜାଇନ ଶିଖିବାର ପ୍ରୟାସରେ ଲାଗିଥିବା ପବିବେନ ଆଜି ୨୫ ପ୍ରକାରର ଅଲଗା ଅଲଗା ଡିଜାଇନରେ କାମ କରୁଛନ୍ତି । ଏବଂ ତାଙ୍କର ଟିମ୍ ରେ ୬୦ରୁ ଅଧିକ ମହିଳାଙ୍କୁ ରୋଜଗାର ଦେଇଛନ୍ତି । ଆଜି ତାଙ୍କ ଦ୍ୱାରା ପରିଚାଳିତ ପବିବେନ ଡଟ୍ କମ୍ ନାମକ ୱେବସାଇଟ୍ ବର୍ଷକୁ ୨୦ ଲକ୍ଷ ଟଙ୍କା ଆୟ କରୁଛି । ତାଙ୍କ ଦ୍ୱାରା ତିଆରି ଡିଜାଇନ ଏବେ ଫିଲ୍ମର ପରଦାରେ ମଧ୍ୟ ସ୍ଥାନ ପାଇଛି । ତାଙ୍କର ପରିଶ୍ରମ ଓ କାମକୁ ଦେଖି ସରକାର ତାଙ୍କୁ ୨୦୧୬ରେ ଗ୍ରାମୀଣ ଉଦ୍ୟୋଗପତି କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଯୋଗୁଁ ‘ଜାନକୀ ଦେବୀ ବଜାଜ’ ପୁରସ୍କାରରେ ସମ୍ମାନିତ କରିଥିଲେ । ଆଜି ସେହି ପବିବେନ ନିଜେ ନିଜ ପାଇଁ ସଫଳତାର ରାସ୍ତା ତିଆରି କରିଛନ୍ତି । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଶିଖେଇଛନ୍ତି ନିଜେ ବଂଚିବାର ଶୈଳୀ । ଆଉ ନିଜ ସଂପ୍ରଦାୟର କଳାକୁ ବଂଚାଇରଖିପାରିଛନ୍ତି । ଏହା କେବଳ ତାଙ୍କର ଅକ୍ଲାନ୍ତି ପରିଶ୍ରମ ଓ ନିରବଚ୍ଛିନ୍ନ ଉଦ୍ୟମ ଦ୍ୱାରା ସମ୍ଭବ ହୋଇଛି ।