ଦିବ୍ୟାଙ୍ଗ ବେକାରୀଙ୍କ ପାଇଁ ଉଦାହରଣ : ପରିବାର ଲୋକଙ୍କ ଉପରେ ବୋଝ ନହୋଇ ଜଣେ ସଫଳ କାର ମେକାନିକ୍ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଭିନ୍ନକ୍ଷମ ସନ୍ତୋଷ

254

କନକ ବ୍ୟୁରୋ : ସାରାଦେଶରେ ବେକାରୀ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡଟେକିଥିବାବେଳେ, କଟକ ନିଆଳି ଅଞ୍ଚଳଳର ଜଣେ ଦିବ୍ୟାଙ୍ଗ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଜଣେ ଦିବ୍ୟାଙ୍ଗ ହୋଇ ବି ସଫଳ ମେକାନିକ୍ ଭାବେ ପରିଚୟ ବନାଇ ପାରିଛନ୍ତି ଭିନ୍ନକ୍ଷମ ସନ୍ତୋଷ ।

କଟକ ନିଆଳି ଅଂଚଳର ସନ୍ତୋଷ ନାୟକ । ବୟସ ୩୨ ବର୍ଷ । ଆଉ ପେସାରେ ଜଣେ କାର ମେକାନିକ୍ । ସନ୍ତୋଷ ଜନ୍ମରୁ ଭିନ୍ନକ୍ଷମ । ଆଉ ଶିକ୍ଷାଗତ ଯୋଗ୍ୟତା ତାଙ୍କର ମ୍ୟାଟ୍ରିକ୍ ଫେଲ । ତଥାପି ପରିବାର ଲୋକଙ୍କ ଉପରେ ବୋଝ ନହୋଇ ଗ୍ୟାରେଜରେ କାମ କରିବା ଆରମ୍ଭ କରିଥିଲେ ସନ୍ତୋଷ । ୨୦ ବର୍ଷ ଧରି କାମ କରିବା ପରେ ଜଣେ ସଫଳ ଅଟୋ-ମୋବାଇଲ ମେକାନିକ ଭାବେ ପରିଚୟ ବନାଇ ପାରିଛନ୍ତି ସନ୍ତୋଷ । ଆଉ ମାସକୁ ୩୫ ହଜାର ଟଙ୍କା ରୋଜଗାର ବି କରୁଛନ୍ତି ।

ପୁରୁଣା ମଡେଲ ହେଉକି ନୂଆ ମଡେଲର କାର । ଯାହା ବି ତ୍ରୁଟି ଅବା ସମସ୍ୟା ଥିଲେ ସଜାଡିବାରେ ଓସ୍ତାଦ୍ ସନ୍ତୋଷ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସବୁ ପ୍ରକାର ଗାଡିର ମରାମତି କରିଥାନ୍ତି ସେ । ଆଉ ନିଜର ଏହି ବୃତି ପାଇଁ କଟକରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ପ୍ରତିଷ୍ଠିତ ହୋଇ ପାରିଛନ୍ତି ସନ୍ତୋଷ । ଭିନ୍ନକ୍ଷମ ହେଲେ ବି କାମ ପ୍ରତି ତାଙ୍କ ନିଷ୍ଠା ପାଇଁ ଆଜି ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି ସନ୍ତୋଷ ନାୟକ । ଆଉ ଅନେକଙ୍କ ପାଇଁ ସାଜିଛନ୍ତି ଉଦାହରଣ ।