ପ୍ରଧାନମନ୍ତ୍ରୀଙ୍କୁ ତେଲ ଚିନ୍ତା ! କେନ୍ଦ୍ର କ୍ୟାବିନେଟରେ ନିଷ୍ପତି, ଚଣ୍ଡିଖୋଲ ଓ ପାଦୁର ଠାରେ ପ୍ରତିଷ୍ଠା ହେବ ଭୂତଳ ତୈଳ ଭଣ୍ଡାର ।

150

ଅତିରିକ୍ତ ଭୂତଳ ତୈଳ ଭଣ୍ଡାର (ଏସପିଆର)କୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି । ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ୬.୫ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ପ୍ରତିଷ୍ଠାକୁ ନେଇ କେନ୍ଦ୍ର କ୍ୟାବିନେଟର ମୋହର । ତେବେ ଚଣ୍ଡିଖୋଲ ଏବଂ ପାଦୁର ଠାରେ ନିର୍ମାଣ ହେବାକୁଥିବା ଏହି ତୈଳ ଭଣ୍ଡାର ଭୂତଳ ସୁଡଙ୍ଗ ମଧ୍ୟରେ ରହିବ । ଏବଂ ଏକୁଡିକର କ୍ଷମତା ଯଥାକ୍ରମେ ୪ ଏମଏମଟି ଏବଂ ୨.୫ ଏମଏମଟି ହେବ ବୋଲି ସୁଚନା ମଳିଛି । ପୂର୍ବରୁ ୨୦୧୭-୧୮ ବଜେଟରେ ଦୁଇଟି ଅତିରିକ୍ତ ତୈଳ ଭଣ୍ଡାର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ ।

କେନ୍ଦ୍ର ସରକାରଙ୍କ ବଜେଟ ସହଯୋଗ ପରିମାଣ କମାଇବାଲାଗି ଏହି ପ୍ରକଳ୍ପକୁ ପିପିପି ବା ସରାକରୀ-ଘରୋଇ ଭାଗିଦାରୀ ଆଧାରରେ ନିର୍ମାଣ କରାଯିବା ଲାଗି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ନିବେଶକଙ୍କ ସମତେ ବଜାର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରଦର୍ଶନୀ ଆୟୋଜନ କରାଯିବା ପରେ ଅର୍ଥମନ୍ତ୍ରଣାଳୟର ପରାମର୍ଶକ୍ରମେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଭାଗିଦାରୀର ସର୍ତ୍ତ ଏବଂ ନିୟମାବଳୀ ନିର୍ଦ୍ଧାରଣ କରିବେ । ପୂର୍ବରୁ ଆଇଏସପିଆରଏଲ ପକ୍ଷରୁ ଅଶୋଧିତ ତୈଳ ସଂରକ୍ଷର କରି ରଖିବା ପାଇଁ ୩ଟି ସ୍ଥାନରେ ୫.୩୩ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ସୁଡଙ୍ଗ ନିର୍ମାଣ କରାଯାଇଛି । ସେଗୁଡିକ ହେଲା- ବିଶାଖାପାଟଣା( ୧.୩୩ ଏମଏମଟି) , ମାଙ୍ଗାଲୋର(୧.୫ ଏମଏମଟି) ଏବଂ ପାଦୁର(୨.୫ଏମଏମଟି) ।

୨୦୧୬-୧୭ ଆର୍ଥିକ ବର୍ଷର ପେଟ୍ରୋଲିୟମ ବ୍ୟବହାର ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୫.୩୩ ଏମଏମଟି କ୍ଷମତା ବିଶିଷ୍ଟ ତୈଳ ଭଣ୍ଡାରର ଅଶୋଧିତ ତୈଳ ୧୦ ଦିନ ପର୍ଯ୍ୟନ୍ତ ଭାରତର ଇନ୍ଧନ ଆବଶ୍ୟକତାକୁ ପୂରଣ କରିପାରିବ । ତେବେ ଏହି ଅତିରିକ୍ତ ୬.୫ ଏମଏମଟି କ୍ଷମତା ବିଶିଷ୍ଟ ଭୂତଳ ତୈଳ ଭଣ୍ଡାର ହେବାଦ୍ୱାରା ଅତିରିକ୍ତ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଆବଶ୍ୟକତାକୁ ପୂରଣ କରିପାରିବ । ଯଦ୍ୱାରା ଭାରତର ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ଏତଦ୍ ବ୍ୟତୀତ ଚଣ୍ଡିଖୋଲ ଏବଂ ପାଦୁରଠାରେ ତୈଳ ଭଣ୍ଡାର ନିର୍ମାଣ ଦ୍ୱାରା ଓଡିଶା ଓ କର୍ଣ୍ଣାଟକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିହେବ ।