କନକ ବ୍ୟୁରୋ : ଅଧ୍ୟାପକଙ୍କ ଉପରେ ଲାଗିଲା ଅଙ୍କୁଶ । ଏଣିକି ବିନା ଅନୁମତିରେ ରହିଗଲେ ମିଳିବନି ସେହିଦିନର ଦରମା । ଅର୍ଥାତ ନୋ ୱାର୍କ ନୋ ପେ ଲାଗୁ ହେବ । ଶୋଭାଯାତ୍ରା, ଧାରଣା, ବିକ୍ଷୋଭ ପାଇଁ ଛୁଟି ମିଳିବ ନାହିଁ । ଯଦି କେହି କାର୍ଯ୍ୟରେ ଅନୁପସ୍ଥିତ ରହି ଏସବୁ କାର୍ଯ୍ୟରେ ଯୋଗ ଦିଅନ୍ତି, ତେବେ ଏହାକୁ ଅନଧିକୃତ ବୋଲି ଧରାଯିବ । ଏପରି କାର୍ଯ୍ୟରେ ଯୋଗ ଦେଲେ ଏହାକୁ ବିପରୀତ ଦୃଷ୍ଟିରେ ଦେଖାଯିବ ଓ ଆଗୁଆ ଅବସର ନେବା ପରି ପରିସ୍ଥିତି ଆସିବ । ସବୁ କଲେଜର ଅଧ୍ୟକ୍ଷମାନେ ଏସବୁ ଦିଗକୁ ଦେଖିବେ ଏବଂ ଯେପରି କେହି ବି ଅଧ୍ୟାପକ ଏପରି କାର୍ଯ୍ୟରେ ଯୋଗ ନଦିଅନ୍ତି ତାଉପରେ ନଜର ରଖିବେ । ନଚେତ୍ ଅଧ୍ୟକ୍ଷମାନେ ଦାୟୀ ରହିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦାବି ହାସଲ ପାଇଁ ରାଜ୍ୟର ବିଭିନ୍ନ ଅଧ୍ୟାପକ ଓ କର୍ମଚାରୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି । କେବେ ଆନ୍ଦୋଳନକୁ ଓହ୍ଲାଇବେ ସେନେଇ ଏପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି କି ବିଧିବଦ୍ଧ ଘୋଷଣା କରିନାହାନ୍ତି । ତା’ପୂର୍ବରୁ ଆନ୍ଦୋଳନ ଭଣ୍ଡୁର ପାଇଁ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି । ଅଧ୍ୟାପକମାନେ ଯେପରି ଏକାଠି ନ ହୁଅନ୍ତି ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ବିଭାଗ ଅଧୀନରେ ଥିବା ସରକାରୀ କଲେଜ, ୪୮୮ ବର୍ଗ ଓ ୬୬୨ ବର୍ଗ ଡିଗ୍ରି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଆଗୁଆ ନାଲିଆଖି ଦେଖାଇଛନ୍ତି । ଯଦି ଅଧ୍ୟାପକମାନେ ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ସେମାନଙ୍କୁ ଦରମା ଦିଆଯିବନି । ‘ନୋ ୱାର୍କ ନୋ ପେ’ (କାମ ନାହିଁ ତ ଦରମା ନାହିଁ) ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚେତାବନୀ ଦେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଥିବା ବିଭିନ୍ନ କଲେଜକୁ ଗସ୍ତ ସମୟରେ ଦେଖିବାକୁ ମିଳୁଛି ଯେ ଅଧ୍ୟାପକ ଓ କର୍ମଚାରୀମାନେ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛୁଟିରେ ରହୁଛନ୍ତି। ଚାକିରି ନିୟମ ଅନୁଯାୟୀ ଛୁଟି ଏକ ଅଧିକାର ନୁହେଁ। ଜଣେ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ହିଁ ଛୁଟିରେ ରହିପାରିବେ। ଯଦି କୌଣସି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାହାକୁ ବେଆଇନ ଭାବେ ବିବେଚନା କରାଯିବ। ଯେପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ ଛୁଟିରେ ରହିବେ ସେପର୍ଯ୍ୟନ୍ତ ଦରମା ପାଇବେ ନାହିଁ। ‘ନୋ ୱାର୍କ ନୋ ପେ’ ନିୟମରେ ଛୁଟି ରହିଥିବା ଦିନ ଦରମା ଦିଆଯିବ ନାହିଁ। ଧାରଣା, ଶୋଭାଯାତ୍ରା, ଆନ୍ଦୋଳନ ପରି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କୌଣସି ବି ଅଧ୍ୟାପକ କିମ୍ବା କର୍ମଚାରୀଙ୍କୁ ଛୁଟି ଦିଆଯାଇପାରିବ ନାହିଁ।
ଯଦି କୌଣସି କର୍ମଚାରୀ ଛୁଟିରେ ରହି ଏଭଳି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ତେବେ ତାଙ୍କ ଛୁଟିକୁ ବେଆଇନ ଭାବେ ବିବେଚନା କରାଯିବ। ଯେଉଁମାନେ ବିକ୍ଷୋଭରେ ସାମିଲ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଆଗୁଆ ବାଧ୍ୟତାମୂଳକ ଅବସର ଦିଆଯିବ। ଅନୁଦାନପ୍ରାପ୍ତ କଲେଜ ଓ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ପ୍ରତ୍ୟାହାର କରାଯିବ। କଲେଜର କୌଣସି ବି କର୍ମଚାରୀ ଯେପରି ଧାରଣା ଓ ବିକ୍ଷୋଭରେ ସାମିଲ ନ ହୁଅନ୍ତି ଅଧ୍ୟକ୍ଷମାନେ ଏନେଇ ସୁନିଶ୍ଚିତ କରିବେ। ଯଦି କୌଣସି ଅଧ୍ୟକ୍ଷ ଆନ୍ଦୋଳନ, ବିକ୍ଷୋଭରେ ସାମିଲ ପାଇଁ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁମତି ଦିଅନ୍ତି ତେବେ ସେ ଉତ୍ତରଦାୟୀ ରହିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ତୃଣମୂଳସ୍ତରରୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶିକ୍ଷକ ନେତାମାନେ କହିଛନ୍ତି।