ଷଡଯନ୍ତ୍ର କରୁଛି ପାକିସ୍ତାନ! ଅମରନାଥ ଯାତ୍ରାରେ ଆତଙ୍କୀ ଆକ୍ରମଣ ନେଇ ପ୍ରସ୍ତୁତ କରୁଛି ସେନା ।

92

ଜୁନ ୨୮ରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଶୈବ ପୀଠ ଅମରନାଥ ଯାତ୍ରା । ଏନେଇ ଜମ୍ମୁ-କାଶ୍ମୀରରେ ଗୃହମନ୍ତ୍ରଣାଳୟ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ପଦକ୍ଷେପ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର । ସେପଟେ ଅମରନାଥ ଯାତ୍ରାରେ ବଡଧରଣର ଆତଙ୍କୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଷଡଯନ୍ତ୍ର କରୁଥିବା ସୁରାଖ ଭାରତୀୟ ଗୁଇନ୍ଦା ବିଭାଗକୁ ଜଣାପଡିଛି । ଚଳିତ ବର୍ଷ ହେବାକୁଥିବା ଅମରନାଥ ଯାତ୍ରାରେ ଖାସ କରି ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରିଛି ପାକିସ୍ତାନ । ସେଥିପାଇଁ ପାକିସ୍ତାନ ୨ଶହ ଆତଙ୍କବାଦୀକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ଅମରନାଥ ଯାତ୍ରା ଉପରେ ଆଖି ପକାଇଛି ।

ପାକିସ୍ତାନର ଏହି ଷଡଯନ୍ତ୍ର ବିଷୟରେ ସୁରାଖ ପାଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ୨୨ ହଜାର ଅତିରିକ୍ତ ସେନାଙ୍କୁ ଅମରନାଥ ଯାତ୍ରାରେ ନିୟୋଜିତ କରିବା ପାଇଁ ଗୃହମନ୍ତ୍ରଣାଳୟକୁ ଆବେଦନ କରିଥିବା ସୁଚନା ମଳିଛି । ତେବେ ପ୍ରତି ବର୍ଷ ଅମରନାଥ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ । ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଅମରନାଥକୁ ଯିବା ମାର୍ଗରେ ଅଧିକ ସିସିଟିଭି ଲାଗିଛି । ଯାହାଦ୍ୱାରା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରିବ । ଏହାସହ ଜାମର, ବୁଲେଟପ୍ରୁଫ ବଙ୍କର ଓ ତାଲିମପ୍ରାପ୍ତ ଅନୁସନ୍ଧାନୀ କୁକୁରମାନେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରିବେ ।

ପାକିସ୍ତାନକୁ କଡା ଜବାବ ଦେବା ପାଇଁ ପାରାମିଲିଟାରୀ ଫୋର୍ସର ୨୨୫ଟି ଟିମ ନିୟୋଜିତ କରିବା ପାଇଁ ଜମ୍ମୁ-କାଶ୍ମୀର ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । ଯାହାଦ୍ୱାରା ଜମ୍ମୁ-କାଶ୍ମୀର ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ମିଳିତ ଉଦ୍ୟମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ କଡାକଡି କରାଯାଇ ପାରିବ ବୋଲି ସେନା ପ୍ରମୂଖ ସୁଚନା ଦେଇଛନ୍ତି । ତେବେ ପ୍ରସିଦ୍ଧ ଅମରନାଥ ଯାତ୍ରା କିଭଳି ଶାନ୍ତି, ଶୃଙ୍ଖଳା ସହିତ ସମାପନ ହେବ ସେନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗତ ୪ ତାରିଖ ଦିନ ଜମ୍ମୁ-କାଶ୍ମୀର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେ । ତେବେ ବରିଷ୍ଠ ସେନା ଅଧିକାରୀଙ୍କ ସୁଚନା ମୁତାବକ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁଥିବା ଅମରନାଥ ଯାତ୍ରାରେ ୪୦ ହଜାର ଭାରତୀୟ ଯବାନ ନିୟୋଜିତ ରହବେ ବୋଲି ଆଶା କରାଯାଉଛି । ବିଭିନ୍ନ ସୁରକ୍ଷା ଏଜେନ୍ସିଙ୍କ ସୁଚନା ମୁତାବକ କାଶ୍ମୀର ଘାଟି ନିକଟରରେ ପାକିସ୍ତାନର ୨ଶହ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ତେଣୁ ଚଳିତ ବର୍ଷ ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି, ଶୃଙ୍ଖଳା ସହ ଶୈବ ପୀଠ ଦର୍ଶନ କରି ପାରିବେ ସେନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ।