‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଓଡ଼ିଶା ଶିଳ୍ପାୟନ ଯାତ୍ରାରେ ହେବ ଅଭୁଲା ସ୍ମୃତି ।

88

କନକ ବ୍ୟୁରୋ : ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮କୁ ସଫଳତାର ସହ ପରିଚାଳନା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ କନକ୍ଳେଭ ବେଶ ପ୍ରଭାବୀ ହେବ । ଏଥିରେ ୧୫ଟି ସରକାରୀ ବିଭାଗ ୪ଦିନ ଧରି ବିଭିନ୍ନ କ୍ଷେତ୍ର ଉପରେ ଅଧିବେଶନ ଆୟୋଜନ କରୁିଛନ୍ତି । ଏହି କନକ୍ଲେଭ ବ୍ୟବସାୟୀଙ୍କୁ ସେମାନଙ୍କ ନେଟୱାର୍କ ବୃଦ୍ଧି ଓ ଅଂଶୀଦାର ପାଇଁ ଅନ୍ୟନ ସୁଯୋଗ ଯୋଗାଇବ । କାର୍ଯ୍ୟକ୍ରମର ଏକ୍ସପୋ ରାଜ୍ୟରେ କମ୍ପାନୀ ଗୁଡିକ ବ୍ୟବହାର କରୁଥିବା ଆଧୁନିକ ଟେକ୍ନୋଲୋଜି ଜରିଆରେ ମାନୁଫାକଚରିଂ ନିପୁଣତାକୁ ବୃହତ ଆକାରରେ ପ୍ରଦର୍ଶନ କରିବ । ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭ ଓଡିଶା ଶିଳ୍ପାୟନ କ୍ଷେତ୍ରରେ ଏକ ଅଭୁଲା ସ୍ମୃତି ହେବ ବୋଲି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।

ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଜନେସ ଲିଡରସିପ ସମିଟରେ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଯୋଗ ଦେବେ । ଏଥିରେ ସ୍ଥାନୀୟ ଶିଳ୍ପପତି ଓ ଉଦ୍ୟୋଗପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ଓ ସ୍ଥାନୀୟ ଶିଳ୍ପ ମୁଖ୍ୟ ଉପସ୍ଥିତ ରହିବେ । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ନଭେମ୍ବର ୧୧ରେ କୋଷ୍ଟାଲ ଫନ୍ ରନ୍, ହେରିଟେଜ୍ ୱାକ୍, ଗଲ୍ଫ ଟୁର୍ଣ୍ଣାମେଣ୍ଟ ଏବଂ ଆଦିବାସୀ ସଂଗ୍ରହାଳୟ ଏବଂ କଳାଭୂମି ପରିଦର୍ଶନ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଜନା କରାଯାଇଛି । ଏହା ସହ ଏକ ଫ୍ୟାସନ ସୋ’ ମଧ୍ୟ ହେବ, ଯେଉଁଥିରେ ଓଡି଼ଶାଭିତ୍ତିକ ହସ୍ତତନ୍ତ କାମକୁ ଶାଢି ଓ ଅନ୍ୟ ସ୍ଥାନୀୟ ପୋଷାକ ମାଧ୍ୟମରେ ପ୍ରଦର୍ଶନ କରାଯିବ ।