ଲଗାଣ ବର୍ଷାରେ କୋରାପୁଟ ବେହାଲ । ହଜାରେ ଘର ଭାଙ୍ଗିଥିବାବେଳେ ରାସ୍ତା ଉପରେ ଚାଲିଛି ପାଣିର ସୁଅ ।

115

କନକ ବ୍ୟୁରୋ : ଲଗାଣ ବର୍ଷାରେ ଓଡିଶାର ଗୋଟିଏ ପରେ ଗୋଟିଏ ଜିଲ୍ଲାକେ ତାଣ୍ଡପ ରଚିବାରେ ଲାଗିଛି । ସବୁଠାରୁ ଅଧିକା କ୍ଷତି ହେଲାଣି ଦକ୍ଷିଣ ଓଡିଶାରେ । ତେବେ କଳାହାଣ୍ଡି,ମାଲକାନଗିରି ଓ ଗଜପତି ପରେ ଏବୋ କୋରାପୁଟରେ ଏବେ ବର୍ଷା ବିତ୍ପାତ ! ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହେବା ସହିତ ପାଖାପାଖି ୧୦୦୦ଟି ଘର ଭାଙ୍ଗି ଯାଇଛି। ବର୍ଷା ଯୋଗୁ ପୋଲ ଉପରେ ପାଣି ଆସିବାରୁ ଓ ରାସ୍ତା ଧୋଇ ଯିବାରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୋମବାର ଏଠାକୁ ଜଳାଭିଷେକ କରିବାକୁ ଆସିଥିବା ହଜାର ହଜାର କାଉଡ଼ିଆ ଫସିକି ରହିଛନ୍ତି ବୋଲି ଜଣାପଡିଛି ।

ବୈପାରିଗୁଡାରୁ ଗୁପ୍ତେଶ୍ୱରକୁ ଯାଇଥିବା ରାସ୍ତାର ସୁକନାକ ପୋଲ ଉପରେ ଆଜି ସନ୍ଧ୍ୟାରୁ ୨ ଫୁଟ ଉଚ୍ଚରେ ପାଣି ଚାଲିଛି। ପ୍ରବଳ ବର୍ଷା ଯୋଗୁଁ ପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଗୁପ୍ତେଶ୍ୱରଙ୍କୁ ଜଳାଭିଷେକ କରିବାକୁ ବାହାରିଥିବା ୧୫ ହଜାରରୁ ଅଧିକ ଭକ୍ତ ଅଧା ରାସ୍ତାରେ ଅଟକି ରହିଛନ୍ତି । ବର୍ଷା ଲାଗି ରହିଥିବାରୁ ପୋଲ ଉପରୁ ପାଣି କମିନି। ପୁଣି ମାଓ ଉପଦ୍ରୁତ ଅଂଚଳ ହୋଇଥିବାରୁ ଏବଂ ରାତି ହୋଇ ଯାଇଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ବୋଲବମ ଭକ୍ତ ବୈପାରିଗୁଡା ଓ ରାମଗିରି ପାଖରେ ଅଟକି ରହିଛନ୍ତି। କିଛି ଦିନ ତଳେ ଏହି ପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇ ଯାଇଥିଲା। ପ୍ରଶାସନ ପକ୍ଷରୁ ଏହାକୁ ପରେ ମରାମତି କରାଯାଇଥିଲା। କିନ୍ତୁ ଆଜି ଅପରାହ୍ନରୁ ପ୍ରବଳ ବର୍ଷା ହେବା ଫଳରେ ଏହା ପୁଣି ଥରେ ଧୋଇ ହୋଇ ଯାଇଛି।

 

ଲଘୁଚାପ ଜନିତ ବର୍ଷା ଆଜି ସମଗ୍ର ଜିଲ୍ଲାକୁ କବଳିତ କରିଛି । ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ସମଗ୍ର ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ବର୍ଷା ଜଳ ପ୍ରଭାବିତ ହେବା ସହ ଗମନାଗମନ ବି ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୩୮୨.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୯୦ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୬୭ ମିମି ବର୍ଷା ହୋଇଥିବା ଜଣାପଡିଛି । ଲଗାଣ ବର୍ଷା ଫଳରେ କୋଲାବ ଜଳଭଣ୍ଡାରର ଜଳସ୍ତର ବି ବୃଦ୍ଧି ପାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ଏଠାରେ ଜଳସ୍ତର ୮୫୪.୮୯ ମିଟରରେ ପହଞ୍ଚିଛି। ଡ୍ୟାମରୁ ପାଣି ଛଡାଗଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।