ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ ! ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଥିଲା ଗୁଇନ୍ଦା ସୂଚନା

21

କନକ ବ୍ୟୁରୋ: ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ । ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଥିଲା ଗୁଇନ୍ଦା ସୂଚନା । ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ଏଡାଇ ଯାଇପାରିଥାନ୍ତା । ସୁରକ୍ଷାକର୍ମୀଙ୍କ ଢ଼ିଲାପଣ ଯୋଗୁଁ ଏଭଳି ଏକ ଆତଙ୍କବାଦୀ ଆକ୍ରମଣ ସଂଭବ ହୋଇଛି । ଗୁଇନ୍ଦାବିଭାଗର ସର୍ତକବାଣୀକୁୁ ସୁରକ୍ଷାକର୍ମୀମାନେ ସକରାତ୍ମକ ଦୃଷ୍ଟିରେ ନେଇଥିଲେ ଏହି ଆକ୍ରମଣ ସଂଭବ ହୋଇନଥାନ୍ତା ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗତ ମାସ ୨୫ ତାରିଖରେ ଗୁଇନ୍ଦା ବିଭାଗ, ସିଆରପିଏଫ ଏବଂ ଜମ୍ମୁକଶ୍ମୀର ପୁଲିସଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରିଥିଲା ଗୁଇନ୍ଦା ବିଭାଗ । ଅନନ୍ତନାଗ ଏସଏସପିଙ୍କ ସୂଚନା ଅନୁସାରେ-ଆତଙ୍କବାଦୀମାନେ ଶହେରୁ ଦେଢ଼ ଶହ ତୀର୍ଥଯାତ୍ରୀ ଏବଂ ଶହେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ନେଇ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା ।

ଏହି ଭଳି ହିଂସା ଘଟଣା ଦେଶରେ ସାଂପ୍ରଦାୟିକ ହିଂସା ବଢ଼ାଇବା ସହ ଅସ୍ତିରତା ଉତ୍ପନ୍ନ କରିବାର ଗୁଇନ୍ଦା ସୂଚନା ଥିଲା । ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ହେଲେ ସାମାନ୍ୟ ତ୍ରୃଟି ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୭ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ ।