ଜାତି ନେଇଗଲା ବିଧାୟକ ପଦ ! ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ବଡ଼ ଝଟକା

52

କନକ ବ୍ୟୁରୋ : ଜାତି ପାଇଁ ଗଲା ବିଧାୟକ ପଦ । କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ୨୦୧୪ ସୁନ୍ଦରଗଡ ବିଧାନସଭା ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ଜାତିକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ତେବେ ଏହି ଘଟଣା ପରେ ଓଡିଶା ବିଧାନସଭାରେ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ରହିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୁନ୍ଦରଗଡ ଆସନରୁ ୨୦୦୯ ଓ ୨୦୧୪ରେ ଦୁଇ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଯୋଗେଶ ସିଂଙ୍କୁ ମହଙ୍ଗା ପଡିଛି ମିଥ୍ୟା ସତ୍ୟପାଠ । ଜାଲ ଜାତିଗତ ପ୍ରମାଣପତ୍ର ଦେଇ ୨୦୧୪ ଜିତିଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ବିଜେପିର ପରାଜିତ ପ୍ରାର୍ଥୀ ଶହଦେବ ଖାକା ଓ ଅନ୍ୟଜଣେ ବ୍ୟକ୍ତି ଅଜୟ ପଟେଲଙ୍କ ଅଭିଯୋଗର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି ।

ସୁନ୍ଦରଗଡ ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ହେଲେ ମିଳିଥିବା ସୂଚନା ଅନୁସାରେ ଯୋଗେଶ ସିଂ ଖଣ୍ଡାୟତ ଭୂୟାଁ ସଂପ୍ରଦାୟର । ଯାହା ଅନୁସୂଚିତ ଜନଜାତି ବର୍ଗରେ ଆସୁନାହିଁ । ୨୦୧୪ ବିଧାନସଭା ନିର୍ବାଚନବେଳେ ଶ୍ରୀ ସିଂ ନାମାଙ୍କନ ପତ୍ର ସହ ଯେଉଁ ଜାତିଗତ ପ୍ରମାଣପତ୍ର ଦେଇଥିଲେ ସେଥିରେ ସେ ଭୂୟାଁ ଅନୁସୂଚିତ ଜନଜାତି ବର୍ଗର ବୋଲି ଉଲ୍ଲେଖ କରିଥିଲେ ।

ସୁନ୍ଦରଗଡ ସଂରକ୍ଷିତ ଆସନରେ ୨୦୧୪ରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେଡିର କୁଷୁମ ଟେଟେଙ୍କୁ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂ । ହେଲେ ନିର୍ବାଚନର ପ୍ରାୟ ୩ ବର୍ଷ ପରେ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଛନ୍ତି ଜଷ୍ଟିସ ବିକେ ନାୟକଙ୍କ ଜଣିକିଆ ଖଣ୍ଡପୀଠ । ତେବେ ସଦସ୍ୟତା ରଦ୍ଦ ନେଇ ଭିନ୍ନ କାରଣ ଦର୍ଶାଇଛନ୍ତି ଯୋଗେଶଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ ପିତାମ୍ବର ଆଚାର୍ଯ୍ୟ ।

ଆଉ ଏହାରି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ବିଧାୟକ ପଦ ରଦ୍ଦ ପରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର କଣ ହେବ ।
– ମୁଖ୍ୟ ବିରୋଧୀ ଦଳର ମାନ୍ୟତା ବଜାୟ ରଖିପାରିବ କଂଗ୍ରେସ ?

– ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ କଂଗ୍ରେସ ୧୫କୁ ଖସିଆସିଥିଲା

– ପୁଣି ଯୋଗେଶଙ୍କ ସଭ୍ୟପଦ ରଦ୍ଦ ପରେ ବିଧାନସଭାରେ ୧୪କୁ ଖସିଛି କଂଗ୍ରେସ

– ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଁ ମୋଟ ସଭ୍ୟ ସଂଖ୍ୟାର ଏକ ଦଶମାଂଶ ଦରକାର