ସ୍ୱାସ୍ଥ୍ୟ ସେବାକୁ ଘରୋଇକରଣ କରିବାକୁ କୁଚକ୍ରାନ୍ତ ! ୭ ମହଲା କୋଠାକୁ ଘରୋଇ କମ୍ପାନୀ ହାତରେ ଟେକି ଦେବାଲାଗି ରାଜ୍ୟ ସରକାରଙ୍କ ନିଷ୍ପତି

50

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ନୂତନ କରି ନିର୍ମାଣ ହୋଇଛି ୩୦୦ ସଜ୍ଜା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ । ୫୦ କୋଟି ବ୍ୟୟରେ ନିର୍ମିତ ଏହି ୭ ମହଲା କୋଠାକୁ ଏବେ ପି.ପି.ପି ମୋଡରେ ଘରୋଇ କମ୍ପାନୀ ହାତରେ ଟେକି ଦେବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଥିବା ସ୍ପଷ୍ଟ ହୋଇଛି । କନକ ନ୍ୟୁଜ ହାତରେ ଲାଗିଛି ରାଜ୍ୟ ସରକାରଙ୍କ ସେଇ ଷଡଯନ୍ତ୍ରର ଚିଠି ଯାହା ସ୍ପଷ୍ଟ ବୟାନ କରୁଛି, କେମିତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାଗଣା ସ୍ୱାସ୍ଥ ସେବା ଯୋଗାଇବା ପରିବର୍ତ୍ତେ, କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ କୋଠାକୁ କମ୍ପାନୀ ହାତରେ ଟେକି ଦେଇ ସ୍ୱାସ୍ଥ୍ୟ ସେବାର ଘରୋଇକରଣ କରିବାର କୁଚକ୍ରାନ୍ତ କରା ଯାଉଛି ।

ଲାଲ ଗଡ ରେ ସାତ ମହଲା କୋଠା, ନିର୍ମାଣ ହୋଇଛି ନୂତନ ଜିଲ୍ଲା ହସ୍ପିଟାଲ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନେଇ ଆଶା ବାନ୍ଧିଛନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାବାସୀ । ତେବେ ଜିଲ୍ଲାବାସୀଙ୍କ ଆଶା ଏବେ ମଉଳିବାରେ ଲାଗିଛି । କାରଣ ଏହି ଅଧ୍ୟାଧୁନିକ ୭ ମହଲା କୋଠା ର ଅଧାଅଂଶକୁ ଏବେ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଡ.କୈଳାଶ ଚନ୍ଦ୍ର ଦାଶ ମାଲକାନଗିରି ଜିଲ୍ଲାପାଳଙ୍କୁ ଲେଖି ଥିବା ଚିଠି ଲାଗିଛି କନକ ନ୍ୟୁଜ ହାତରେ । ୫୦ କୋଟି ବ୍ୟୟ ରେ ନିର୍ମିତ ଏହି କୋଠାରେ ମୋଟ ୨ ଲକ୍ଷ ୧୩ ହଜାର ୮୯ ବର୍ଗ ଫୁଟ ସ୍ଥାନ ରହି ଥିବା ବେଳେ ପ୍ରତଟି ମହଲା ରୁ ଅଧା କିମ୍ବା ଏକ ତୃତୀୟାଂଶ ସ୍ଥାନକୁ ଆଫୋର୍ଡେବଲ ହେଲଥ କେୟାର ପ୍ରୋଜେକ୍ଟ  ଲାଗି ଆଲୋକେଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

୨୦୧୫ରେ କେନ୍ଦ୍ରାପାଡା, ଢେଙ୍କାନାଳ, ନୂଆପଡା ଓ ମାଲକାନଗିରି ଠାରେ ୩୦୦ ସଜ୍ଜା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ଲାଗି ଘୋଷଣା କରି ଥିଲେ ମୁଖ୍ୟ ମନ୍ତ୍ରୀ । ତେବେ ଏ ଯାଏଁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ୧୨୫ ସଜ୍ଜା ରୁ ୩୦୦ ସଜ୍ଜା କରା ଯିବା ନେଇ ସ୍ୱାସ୍ଥ ବିଭାଗ ର କୌଣସି ନିର୍ଦ୍ଦେଶ ଆସି ନାହିଁ । କୋଠା ଘର ନିର୍ମାଣ ସରି ଗତ ୩ ମାସ ପୁର୍ବେ ସ୍ୱାସ୍ଥ ବିଭାଗ କୁ ହସ୍ତାନ୍ତର କରିଛି ପୁର୍ତ ବିଭାଗ । ତେବେ ଅଗ୍ନି ନିରାପତ୍ତା, ଅକ୍ସିଜେନ ସଂଯୋଗୀକରଣ ପରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଲାଗି ଏକାକାଳୀନ ଯୋଜନା କରା ଯାଇ ନଥିବାରୁ ଡାକ୍ତରଖାନା କାମ ଶତ ପ୍ରତିଶତ ଶେଷ ହବାକୁୁ ଆହୁରି ୬ ମାସ ଲାଗିବ ।

ଏବେ ଫାୟାର ଫାଇଟିଙ୍ଗ କାମ ଜାରି ରହି ଥିବା ବେଲେ ଅକ୍ସିଜେନ କନେକ୍ସନ କାମ ଆଦୌ ଆରମ୍ଭ ହୋଇ ନାହିଁ । ଏପରି ସ୍ଥିତି ରେ ଘରୋଇ କମ୍ପାନୀ ହାତରେ ଏହାକୁ ଟେକି ଦେବା ଲାଗି ରାଜ୍ୟ ସରକାର ତତ୍ପର ।