ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ! କହିଲେ, ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ
କନକ ବ୍ୟୁରୋ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ସଂସଦରେ ଓଡିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଜାରି ରହିବ । ଆଜି ତିନି ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ ଅବସରରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାର୍ଥ ସମ୍ପର୍କୀତ ଦାବି ରାଜ୍ୟର ବିଜେଡି ସାଂସଦ ମାନେ କେନ୍ଦ୍ରରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ବର୍ଷ ଧରି ଓଡିଶା ଏହି ଦାବି କରି ଆସୁଥିବା ବେଳେ ବାରମ୍ବାର କେନ୍ଦ୍ର ଏହାକୁ ଖଣ୍ଡନ କରି ଆସିଛି । ଏପରିକି ଲୋକସଭାରେ ଏନେଇ ଆଗତ ପ୍ରସ୍ତାବ ମଧ୍ୟ କାଟ ଖାଇଯାଇଥିଲା । ଏପରିକି ରାଜ୍ୟର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି ନେଇ ନୀତି ଆୟୋଗ ବୈଠକରେ ଉଠାଇଥିଲେ । ଏହି ଦାବି ନେଇ ବିଜେଡି- ବିଜେପି ସବୁ ବେଳେ ମୁହାଁମୁହିଁ ସ୍ଥିତିରେ ରହି ଆସିଥିବା ବେଳେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି ନବୀନ । ରାଜ୍ୟର ଏହି ଦାବି ନେଇ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଛି ବିଜେଡି ।
ଏପରିକି ଓଡିଶା ଗସ୍ତ ଅବସରରେ ରାଜ୍ୟର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ସିଧାସଳଖ ମନା କରିଦେଇଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ତେଲୁଗୁ ଦେଶମ ପାର୍ଟି କେନ୍ଦ୍ର ସରକାରରୁ ଓହରି ଆସିଛି । ଏପରିକି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ । ଅନ୍ୟପଟେ ଆନ୍ଧ୍ର ସରକାରରୁ ବିଜେପିର ମନ୍ତ୍ରୀ ମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଟିଡିପି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଓଡିଶା ନିଜର ଏହି ଦାବିକୁ ଅଧିକ ଶାଣିତ କରିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କାହା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା:
ଦୁର୍ଗମ ଓ ପାହାଡିଆ ଅଂଚଳ, ଅଳ୍ପ ଜନସଂଖ୍ୟା ବା ଆଦିବାସୀ ଅଧ୍ୟୁଷିତ ଅଂଚଳ, ସୀମାବର୍ତୀ ଗୁରୁତ୍ୱପୂର୍ଣ୍ଣ ଅଂଚଳ, ଆର୍ଥିକ ଓ ଭିତିଭୂମି ବିକାଶରେ ପଛୁଆ ଅଂଚଳ, ରାଜ୍ୟ ଅର୍ଥନୀତିରେ ପଛୁଆ ଅଂଚଳ । ବର୍ତମାନ ଯୋଜନା କମିଶନ ସ୍ଥାନ ନେଇଛି ନୀତି ଆୟୋଗ ଏବଂ ଏହାର ଅର୍ଥ ବଂଟନ କ୍ଷମତା ନାହିଁ । ୨୦୧୫ ମସିହାରୁ ଚତୁର୍ଦ୍ଦଶ ଅର୍ଥ କମିଶନ ସ୍ୱତନ୍ତ୍ର ରାଜ୍ୟପାହ୍ୟାକୁ ବାତିଲ କରିଛନ୍ତି । ଏହା କେବଳ ଉତ୍ତରପୂର୍ବାଂଚଳର ତିନୋଟି ପାହାଡିଆ ରାଜ୍ୟ ପାଇଁ ପ୍ରଯୁଜ୍ୟ ।
ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ସୁବିଧା
କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ୯୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେଇଥାଏ । ଅନ୍ୟପଟେ ସାଧାରଣ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଯୋଜନାରେ ୬୦ ପ୍ରତିଶତ ସହାୟତା ମିଳେ ।