ଜିଲ୍ଲା ଶିକ୍ଷାଧିକାରୀଙ୍କ ଦାଦାଗିରି ! ସହକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା ସହ ମାଡ ମାରିଥିବା ଅଭିଯୋଗ

33
କନକ ବ୍ୟୁରୋ: ଜିଲ୍ଲା ଶିକ୍ଷାଧିକାରୀଙ୍କ ଦାଦାଗିରି ଅଭିଯୋଗ । ନିଜ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା ସାଙ୍ଗକୁ ଠେଙ୍ଗାରେ ମାଡ ମାରିବାକୁ ଉଦ୍ୟତ ହୋଇଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା  ଜୋର ଧରିଛି । ଅଭିଯୋଗ ମୁତାବକ ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ଗତ କିଛି ଦିନ ତଳେ ଉକ୍ତ ଅଫିସର ଜୈନେକ କିରାଣୀ  ଲାଂଚ କେସରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଆଉ ତାଙ୍କ ଫାଇଲଟି ଏକ ବନ୍ଦ ଆଲମାରୀ ଭିତରେ ରହିଯାଇଥିଲା । ଯାହାର ଚାବିକୁ ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ହସ୍ତାନ୍ତର କରିନଥିଲେ । ଆଉ ଭିଜିଲାନ୍ସ କାର୍ଯ୍ୟାଳୟରୁ ଫାଇଲ୍ ନିମନ୍ତେ ଆସିଥିଲା ଚିଠି ।
ଫଳରେ ଉକ୍ତ ଶିକ୍ଷାଧିକାରୀଙ୍କୁ  ଯୋଗାଯୋଗ କରାଯିବା ପରେ ଏକ ଘରୋଇ ବସ୍ ଯୋଗେ ଆସିଥିଲା ଆଲମୀରା ଚାବି  । ଆଉ ତାକୁ କିଛି କର୍ମଚାରୀ ବସ୍ରୁ ଗ୍ରହଣ କରିଥିଲେ । ତେବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଆଲମାରୀ ଖୋଲି ଫାଇଲ୍ଟିକୁ ଫୁଲବାଣୀ ଭିଜିଲାନ୍ସରେ ପହଂଚାଇଥିଲେ କନିଷ୍ଠ  କିରାଣୀ ଦିଲ୍ଲୀପ  ମେହେର । ଅନ୍ୟପଟେ ବର୍ତ୍ତମାନର ଜିଲ୍ଳା ଶିକ୍ଷାଧିକାରୀ ଶିବ ଶଙ୍କର ପ୍ରଧାନ ଅଫିସ୍ କାର୍ଯ୍ୟରେ ଯାଇ ଭୂବନେଶ୍ୱର ଫେରିବା ପରେ ନିଜ ବାସଭବନକୁ ଡାକି କର୍ମଚାରୀମାନଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି କରିବା ସହିତ ଚପଲ ଏବଂ ଠେଙ୍ଗାରେ ମାଡ ମାରିବାକୁ ମଧ୍ୟ ଉଦ୍ୟମ କରିଥିଲେ ।
ସେପଟେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସାଇନ୍ସ ସୁପର ଭାଇଜର ଏହି ଘଟଣାକୁ  ସ୍ୱୀକାର କରିବା ସହିତ ଜିଲ୍ଲା  ଶିକ୍ଷାଧିକାରୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି  । ଜିଲ୍ଲା ଶିକ୍ଷାଅଧିକାରୀ ହୋଇ ଏଭଳି କରିବା ଠିକ୍ ନୁହେଁ ବୋଲି  ସେମାନେ ଅଭିଯୋଗ କରିଥିବାବେଳେ    ଏହାକୁ  କିନ୍ତୁ ମାନିବାକୁ ନାରାଜ ଜିଲ୍ଲା  ଶିକ୍ଷାଧିକାରୀ  ।